ନୂଆପଡ଼ା,୧୮ା୧୦ (ମକାରୁ ବେମାଲ): ଭାଜପା ପ୍ରଥମେ ଭୋଟ ଚୋରି କରୁଥିଲା, ଏବେ ପ୍ରାର୍ଥୀ ଚୋରି କରୁଛି ବୋଲି ସ୍ଥାନୀୟ ଖୁଣ୍ଟିଆ ସମ୍ମିଳନୀ କକ୍ଷରେ ଗୁରୁବାର ସନ୍ଧ୍ୟାରେ ଆୟୋଜିତ ମିଶ୍ରଣ ପର୍ବରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ସେ ଆହୁରି କହିଛନ୍ତି, ଭାଜପା ପ୍ରାର୍ଥୀ ଚୋରି ହୋଇଗଲା ପରେ ବିଜେଡିକୁ ପ୍ରାର୍ଥୀ ମିଳିଲେ ନାହିଁ। ଶେଷରେ ବରଗଡ ଜିଲାରୁ ଆଣି ପ୍ରାର୍ଥୀ କରିଛନ୍ତି। ବର୍ତ୍ତମାନ ବିଜେଡିର ଅସ୍ତିତ୍ୱ ନାହିଁ। କର୍ମକର୍ତ୍ତା ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଉଛନ୍ତି। କଂଗ୍ରେସ ଦଳରେ ପ୍ରତିଦିନ ଶତାଧିକ ବିଜେଡି କର୍ମୀ ସାମିଲ ହେଉଛନ୍ତି। ଏଥର କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ବିଜୟୀ ହେବା ସୁନିଶ୍ଚିତ ବୋଲି ସେ କହିଛନ୍ତି। ଏହି ଅବସରରେ ବିଜେଡି ସାଧାରଣ ସମ୍ପାଦକ ସୁଧିର ମିଶ୍ରଙ୍କ ସମେତ ବରିଷ୍ଠ ଯାଦବ ସଂଗଠକ କରୁଣାକର ଚଣ୍ଡୀ, ଦୁଃଖ ଭଞ୍ଜନ ନାୟକ, କାପଳି ଭଟ୍ଟ, ରୂକେଶ ଗହିର, ନିତ୍ୟା ବେହେରା, ପ୍ରତାପ ରଣାଙ୍କ ସମେତ ଶତାଧିକ ଯୁବକ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ଅବସରରେ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, କଂଗ୍ରେସ ମୁଖପାତ୍ର ହମିତ ହୁସେନ, ନୂଆପଡା ଜିଲା ପର୍ଯ୍ୟବେକ୍ଷକ ମୁରଲୀଧର ନାଏକ, ଜିଲା ପରିଷଦ ସଭ୍ୟ ଭରତ ଲାଲ ରାଉତ, ପୂର୍ବତନ ସଦର ଏନ୍ଏସି ଅଧ୍ୟକ୍ଷ ମହେଶ ନିଆଲ, ଗରିବସେନା ଜିଲା ଆବାହକ ରବି ମଙ୍ଗରାଜ, ଟଙ୍କଧର ସାହୁ, ଜ୍ଞାନେନ୍ଦ୍ର ଦାସ, ଅଙ୍କିତ ସିଂଘାଇ ପ୍ରମୁଖ ଉପସ୍ଥିତ ଥିଲେ।