ନୂଆପଡା ଉପନିର୍ବାଚନ ପାଇଁ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କଲା ଭାଜପା, ବିଧିବଦ୍ଧ ଭାବେ ନାଁ ଘୋଷଣା

ଭୁବନେଶ୍ୱର,୧୫।୧୦: ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାଜପା। ସବୁ ଅପେକ୍ଷାର ଅନ୍ତ ଘଟାଇ ଜୟ ଢୋଲକିଆଙ୍କୁ ଭାଜପା ପ୍ରାର୍ଥୀ କରିଛି। ଏନେଇ ବୁଧବାର ବିଧିବଦ୍ଧ ଭାବେ ଜୟଙ୍କ ନାଁ ଭାଜପା ଘୋଷଣା କରିଛି। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜୟ ଢୋଲକିଆ ନାମାଙ୍କନ ଭରିବେ ବୋଲି ସୂଚନା ମିଳିଛି।

ସେପଟେ ନବୀନ ନିବାସରେ ବିଜେଡିର ପ୍ରାର୍ଥୀ କସରତ। ନବୀନ ନିବାସରେ ପହଞ୍ଚଛନ୍ତି ବିଜେଡିର ବରିଷ୍ଠ ନେତା। ବବି ଦାସ, ସ୍ନେହାଙ୍ଗୀନୀ ଛୁରିଆଁ, ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି। ଟିକେଟ୍‌ ଆଶାୟୀ ମନୋଜ ମିଶ୍ର ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି।

ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଶନିବାର ଭାଜପାରେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦଳୀୟ ଉତ୍ତରୀୟ ଏବଂ ଟୋପି ପିନ୍ଧାଇ ଜୟଙ୍କୁ ସ୍ବାଗତ କରିଥିଲେ।

ଭାଜପାରେ ସାମିଲ ହେବାପରେ ଜୟ ଢୋଲକିଆ କହିଥିଲେ ଯେ, ଦଳ ଯାହା ଦାୟିତ୍ୱ ଦେବ ତାହାକୁ ପାଳନ କରିବି। ରାଜ୍ୟରେ ଚାଲିଥିବା ବିକାଶ ଧାରାରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି। ବାପାଙ୍କ ଅଧୂରା ସ୍ବପ୍ନ ପୂରଣ ଓ ସମାଜ ସେବା କ୍ଷେତ୍ରରେ କାର୍ଯ୍ୟ କରିବି।

Dharitri – The Largest & Most Trusted Odia Daily

Share
Tags: odisha