ମୋହନା,୩।୨( ମନ୍ମଥ ମିଶ୍ର ): ଗଜପତି ଜିଲା ଭାଜପା ନେତାଙ୍କ ବାସଭବନକୁ ସଂଘବଦ୍ଧ ଆକ୍ରମଣ । ପୂର୍ବତନ ଭାଜପା ଗଜପତି ଜିଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବରାମ ସୁଆରଙ୍କ ଚାନ୍ଦିପୁଟ ବାସଭବନ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଛି । ତେବେ ଦୁର୍ବୃତ୍ତମାନେ ଘର ଭଙ୍ଗାରୁଜା କରିବା ସହିତ ଶିବରାମଙ୍କ ୮୦ ବର୍ଷୀୟା ମାଆ ଆହାତ ହୋଇଥିବା ନେଇ ଖବର ରହିଛି ।
ସୂଚନା ଅନୁସାରେ, ସୋମବାର ଦିନ ସନ୍ଧ୍ୟା ସମୟରେ ଶିବରାମ କୌଣସି କାମରେ ବାହାରକୁ ଯାଇଥିବା ବେଳେ ହଠାତ୍ ଚାନ୍ଦିପୁଟ ଗ୍ରାମର ୩୦ରୁ ଅଧିକ ଯୁବକମାନେ ଆକ୍ରମଣ କରିଥିବା ନେଇ ମୋହନା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଆକ୍ରମଣ ସମୟର ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିବା ବେଳେ ପୋଲିସକୁ ହସ୍ତାନ୍ତର କରାଯାଇଛି ।
ଘଟଣାସ୍ଥଳରେ ଆର ଉଦୟଗିରି ଏସ ଡି ପି ଓ, ଥାନା ଅଧିକାରୀ ବସନ୍ତ କୁମାର ସେଠୀ, ତହସିଲଦାର ଚକ୍ରଧର ପାଢ଼ୀ, ବି ଡି ଓ ରାଜୀବ ଦାସ ପହଞ୍ଚି ତଦନ୍ତ କରୁଛନ୍ତି । ତେବେ କେଉଁ କାରଣ ପାଇଁ ଏହି ଆକ୍ରମଣ କରାଯାଇଥିଲା, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।