ନୂଆପଡ଼ା,୧ା୧୧ (ମକାରୁ ବେମାଲ): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭାକୁ ଭଣ୍ଡୁର କରିବା ପାଇଁ ଭାଜପା ଷଡ଼ଯନ୍ତ୍ର କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ଶୁକ୍ରବାର ଏ ନେଇ ଦଳ ପକ୍ଷରୁ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁଙ୍କ ନିକଟରେ ଅଭିଯୋଗ କରାଯାଇଛି। ଅଭିଯୋଗରେ ଦର୍ଶାଯାଇଛି ଯେ, ଶାସକ ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୩ ନଭେମ୍ବର ୨୦୨୫ରେ ତରବୋଡ଼ ଧାନମଣ୍ଡି ପଡ଼ିଆ, କୋମନା ବ୍ଲକରେ ହେବାକୁ ଥିବା ସାର୍ବଜନୀନ ସଭାକୁ ବାଧା ଦେବା ପାଇଁ ଷଡଯନ୍ତ୍ର ଚଳାଇଛି। ଏ ସମ୍ପର୍କିତ ଏକ ଅଡିଓ ରେକର୍ଡିଂରେ ଗାଁ ସାଥୀ ସଂଗଠନର ଅଧ୍ୟକ୍ଷ ଲକ୍ଷ୍ମୀଧର ବିଶ୍ୱାଳ ନିଜେ ସ୍ବୀକାର କରିଛନ୍ତି ଯେ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ତାଙ୍କ ସଂଗଠନ ସଦସ୍ୟମାନଙ୍କୁ ସେହି ତାରିଖ ଓ ସ୍ଥାନରେ ଏକତ୍ର ହେବାକୁ ନିର୍ଦେଶ ଦେଇଛନ୍ତି। ଏହା ଏକ ସଂଗଠିତ ଉଦ୍ୟମ ଯାହା ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ପରିବେଶକୁ ଭଙ୍ଗ କରିବାକୁ ଉଦ୍ୟମ ବୋଲି ବିଜେଡି ପକ୍ଷରୁ ଲେଖାଶ୍ରୀ ସାମନ୍ତସିଂହାର, ସାଂସଦ ନିରଞ୍ଜନ ବିଶି, ମନ୍ମଥ ରାଉତରାୟ ଅଭିଯୋଗ ଦାଖଲ କରିଛନ୍ତି।