ଭାଜପା ପ୍ରତିନିଧି ଦଳର ମହୋତ୍ସବ ପଡିଆ ପରିଦର୍ଶନ:  ବିଡିଓଙ୍କ ସହ ଆଲୋଚନା

ଦାରିଙ୍ଗବାଡି,୫।୧(ଅରୁଣ ସାହୁ): ଶୀତ ମହୋତ୍ସବ ଯେତେ ପାଖେଇ ଆସୁଛି ସେତିକି ଦାରିଙ୍ଗବାଡ଼ି ଅଞ୍ଚଳରେ ଉତ୍କଣ୍ଠା ଦେଖାଯାଇଛି। ସେପଟେ ଶୀତ ମହୋତ୍ସବକୁ ସଫଳ କରିବା ପାଇଁ ସ୍ଥାନୀୟ ପ୍ରଶାସନ ସମେତ ଜିଲା  ପ୍ରଶାସନ ଏବଂ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ସୋମବାର ବାଲିଗୁଡା ଏସ୍‌ଡିପିଓ ତଥା ଆଇପିଏସ୍‌ ଶୁଭମ ଭୋସଲେ  ମହୋତ୍ସବ ପଡିଆରେ ପହଞ୍ଚି ସ୍ଥିତି ପରଖିଥିଲେ।
କିଭଳି ଦର୍ଶକ ଓ ପର୍ଯ୍ୟଟକମାନେ ଶାନ୍ତି ଶୃଙ୍ଖଳାରେ ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇପାରିବେ ଓ ସାମାଜିକ ସୁରକ୍ଷା ସହ ଟ୍ରାଫିକ ନିୟନ୍ତ୍ରଣ, ଗାଡି ପାର୍କିଂ ସ୍ଥଳକୁ ବୁଲି ଦେଖିବା ସହ  ତହସିଲଦାର ଧୀରଜ ପାତ୍ର ଏବଂ ଇନ୍ସପେକ୍ଟର ସଂଗ୍ରାମ କେଶରୀ ଜେନାଙ୍କ ସହ ସମୀକ୍ଷା କରିଥିଲେ।
ସେହିପରି ଭାଜପା ମଣ୍ଡଳ ସଭାପତି ମିଟୁ ସାହୁଙ୍କ ନେତୃତ୍ୱରେ ଭାଜପାର ଜିଲା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ, ସମ୍ପାଦକ ସନ୍ତୋଷ ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ରଞ୍ଜନ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ, ଉପସଭାପତି ସୁବାଷ ଚନ୍ଦ୍ର ସାହୁ, ଦିଲୀପ ସାହୁ, ରାହୁଲ ସାହୁ ପ୍ରମୁଖ ମହୋତ୍ସବ ପଡିଆକୁ ପରିଦର୍ଶନ କରି ସ୍ଥାନୀୟ ବିଡିଓ ତଥା ମହୋତ୍ସବ କମିଟିର ସମ୍ପାଦକ ପ୍ରୀତିରଞ୍ଜନ ରଥଙ୍କ ସହ ମହୋତ୍ସବ ସମ୍ପର୍କରେ ଆଲୋଚନା କରିଛନ୍ତି।
Dharitri – Odisha’s No.1 Odia Daily