ଭୁବନେଶ୍ୱର,୨୫।୨(ରବିନାରାୟଣ ଜେନା):ବିଧାନସଭାର ବଜେଟ ଅଧିବେଶନରେ ବିରୋଧୀ ବିଜେଡି ଏବଂ କଂଗ୍ରେସର ଭିନ୍ନ ବିଚାର ଧାରା ଦେଖିବାକୁ ମିଳିଛି। ୨ ଦଳ ଚାଷୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ହରଡ଼ଘଣାରେ ପକାଇବାକୁ ଉଦ୍ୟମ କରିଛନ୍ତି। ଏଥିଯୋଗୁ ଗୃହ ଚାଲିପାରି ନାହିଁ। ତେବେ ମଙ୍ଗଳବାର ଗୃହରେ ଏକ ନିଆରା କଥା ଦେଖିବାକୁ ମିଳିଛି। ସରକାର ଚାଷୀଙ୍କ ସମସ୍ୟାର ସମାଧାନ କରୁ ନାହାନ୍ତି ବୋଲି କହି ବିଜେଡି ସଦସ୍ୟମାନେ ଗୃହ ଭିତରେ ତୁମ୍ବିତୋଫାନ କରିବା ସହିତ ମୁଲତବୀ ଆଲୋଚନାରେ ଭାଗ ନେଇ ନ ଥିବାବେଳେ କଂଗ୍ରେସ ନିଜ ଆସନରେ ଛିଡ଼ା ହୋଇ ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିବାଦ ଜଣାଇବା ସହିତ ଆଲୋଚନାରେ ଭାଗ ନେଇଛି। ବିଜେଡି ସଦସ୍ୟମାନେ ଗୃହ ମଧ୍ୟଭାଗରେ ପ୍ରବଳ ହଟ୍ଟଗୋଳ ଏବଂ ରିପୋର୍ଟର୍ସ ଟେବୁଲ ଉପରେ ଛିଡ଼ା ହୋଇ ଜୋର୍ଦାର ପ୍ରତିବାଦ କରିବାରୁ ପ୍ରଥମାର୍ଦ୍ଧରେ ଗୃହ ସୁରୁଖୁରୁରେ ଚାଲି ପାରି ନ ଥିଲା। ହଟ୍ଟଗୋଳ ଭିତରେ ପ୍ରଶ୍ନକାଳ ମାତ୍ର ୮ମିନିଟ୍ ଚାଲିଥିବାବେଳେ ଶୂନ୍ୟକାଳ ୧୬ମିନିଟ୍ ଚାଲିଥିଲା। ତେବେ ୧୨.୦୫ମିନିଟ୍ରେ ଚାଷୀ ପ୍ରସଙ୍ଗରେ କଂଗ୍ରେସ ଆଣିଥିବା ମୁଲତବୀ ପ୍ରସଙ୍ଗରେ ବିଜେଡି ଭାଗ ନ ନେଇ ବ୍ୟାନର ଓ ପୋଷ୍ଟର ଧରି ନାରାବାଜି କରିଥିଲା। କହିଥିଲା ଠଣ ଠଣ ଦେଖାଉଛ ଲଣ୍ଠନ କହି ସରକାରଙ୍କ ଉପରେ ବର୍ଷିବା ସହିତ କକ୍ଷ ତ୍ୟାଗ କରିଥିଲା।
ଅନ୍ୟପକ୍ଷରେ କଂଗ୍ରେସ ମୁଲତବୀ ଆଲୋଚନାରେ ଭାଗ ନେଇ ସରକାରଙ୍କ ଦୋଷ ଦୁର୍ବଳତା ଧରିବା ସହିତ କଟ୍ନି ଛଟ୍ନି ବନ୍ଦ କରିବା, ଧାନ କୁଇଣ୍ଟାଲ ପିଛା ୩୧୬୯ ଟଙ୍କା ଚାଷୀଙ୍କୁ ଦେବା, ସମସ୍ତ ଚାଷୀଙ୍କ ସବୁ ଧାନ କିଣିବା ଭଳି ଦାବି କରିଥିଲା। ତେବେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୃହରେ ବିରୋଧୀଙ୍କୁ କଡ଼ା ଜବାବ ଦେଇ ଉତ୍ତର ରଖୁଥିବାବେଳେ କଂଗ୍ରେସ ଅସନ୍ତୋଷ ବ୍ୟକ୍ତ କରି କକ୍ଷ ତ୍ୟାଗ କରିଥିଲା। ଆଲୋଚନା ପରେ ବାଚସ୍ପତି ସୁରମା ପାଢ଼ୀ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବକୁ ଖାରଜ କରିବା ସହିତ ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ।
ମଙ୍ଗଳବାର ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଭାଜପା ସଦସ୍ୟ ମାନସ ଦତ୍ତଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ। ମାନସ ନିଜ ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ଉପରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ସମାଧାନ ଲୋଡ଼ିଥିଲେ। ସେହିପରି ସଦସ୍ୟ ସିଦ୍ଧାନ୍ତ ମହାପାତ୍ର, ଦୁଷ୍ମନ୍ତ କୁମାର ସ୍ବାଇଁ ଓ ସନ୍ତୋଷ ଖଟୁଆ ପ୍ରମୁଖ ଭୂତଳ ଜଳ ହ୍ରାସକୁ ରୋକିବା ଏବଂ ବର୍ଷାଜଳ ସଂରକ୍ଷଣ ଉପରେ କହିଥିଲେ। ତେବେ ବିରୋଧୀ ବିଜେଡି ତଥା ବିରୋଧୀ ଦଳ ଉପମୁଖ୍ୟସଚେତକ ପ୍ରତାପ ଦେବ ଓ ସଦସ୍ୟ ଅଧିରାଜ ପାଣିଗ୍ରାହୀ ଏବଂ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ବାଚସ୍ପତି ବିରୋଧୀ ବିଜେଡି ସଦସ୍ୟଙ୍କୁ ବାରମ୍ବାର ନିଜ ଆସନକୁ ଯିବା ସହିତ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଅନୁରୋଧ କରିଥିଲେ ହେଁ ସେମାନେ କର୍ଣ୍ଣପାତ ନ କରିବାରୁ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ସେହିପରି ଶୂନ୍ୟକାଳରେ ମଧ୍ୟ ଅନୁରୂପସ୍ଥିତି ଦେଖିବାକୁ ମିଳିଥିଲା। ଭାଜପା ସଦସ୍ୟ ସନ୍ତୋଷ ଖଟୁଆ, ପୂର୍ଣ୍ଣଚନ୍ଦ୍ର ସେଠୀ, ନୀହାର ରଞ୍ଜନ ମହାନନ୍ଦୀ ଭାଗ ନେଇ ଚାଷୀଙ୍କ ପ୍ରତି ସରକାରଙ୍କ ଆନ୍ତରିକତାର ନିଚ୍ଛକ ଛବି ଦେଖାଇଥିଲେ।