କଟକ,୯ା୨(ଶିଳ୍ପା ପ୍ରିୟଦର୍ଶିନୀ): ବିଜୁ ଜନତା ଦଳ ପକ୍ଷରୁ ଆସନ୍ତା ୧୩ ତାରିଖ ପୂର୍ୱାହ୍ନ ୧୦ଟାରେ କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ। ଦୋଳମୁଣ୍ଡାଇସ୍ଥିତ କଟକ ଜିଲା ବିଜେଡି କାର୍ଯ୍ୟାଳୟରେ ଜିଲା ସଭାପତି ପ୍ରଫୁଲ୍ଲ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ବୈଠକରେ ବିଜେଡି ରାଜ୍ୟ ଉପସଭାପତି ପ୍ରତାପ ଜେନା ଯୋଗଦେଇ କହିଛନ୍ତି, ଭାଜପା ସରକାର ସମୟରେ କୃଷକଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରାଯାଉଛି। ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ଦିନଦ୍ୱିପ୍ରହରରେ ରାସ୍ତାରେ ହତ୍ୟା କରାଯାଉଛି। ଓଡ଼ିଶାରେ ମହିଳା ସୁରକ୍ଷିତ ନାହାନ୍ତି।
ଭାଜପା ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତା’ର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ରାଜ୍ୟ ସରକାରଙ୍କ ଜନମାରଣ ଓ ଶୋଷଣ ନୀତି ବିରୋଧରେ କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
ବୈଠକରେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ୱତନ ବିଧାୟକ ଡା. ପ୍ରମୋଦ ମଲ୍ଲିକ, ମେୟର ସୁବାସ ସିଂ, ମଧୁସୂଦନ ସାହୁ, ମହମ୍ମଦ ସକିଲ, ପ୍ରଫୁଲ୍ଲ ବେହେରା, ଅନିତା ବେହେରା, କର୍ପୋରେଟର ଏ. ଶ୍ରୀଦେବୀ, ବିକାଶ ବେହେରା, ଇଂ. ଚୌଧୁରୀ ସୁବ୍ରତ ଘଡ଼େଇ ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡିି ରାଜ୍ୟ ପରିଷଦ ସଭ୍ୟ ପ୍ରକାଶ ସିଂ ଧନ୍ୟବାଦ ଦେଇଥିଲେ।

