ଭୁବନେଶ୍ୱର,୧୨ା୩(ସୁନିତ୍ ମିଶ୍ର):ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ଡାକିଥିବା ବୈଠକରେ ବିଜେଡି ଯୋଗଦେବ। ମଙ୍ଗଳବାର ଡିଏମ୍କେ ସାଂସଦ ଦୟାନିଧି ମାରାନ୍ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିଲେ। ନବୀନ ଏବଂ ମାରାନ୍ଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହେବାପରେ ମାରାନ୍ ଏହି ସୂଚନା ଦେଇଛନ୍ତି। ମାରାନ୍ ଏବଂ ତାଙ୍କ ସହ ତାମିଲନାଡୁ ଶିଳ୍ପ ମନ୍ତ୍ରୀ ଟି.ବି.କେ. ରାଜା ନବୀନ ନିବାସ ଯାଇ ଏନେଇ ନବୀନଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ସୀମା ପୁନଃ ନିର୍ଦ୍ଧାରଣ ନେଇ ଆସନ୍ତା ୨୨ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏକ ସ୍ବତନ୍ତ୍ର ବୈଠକ ଡକାଇଛନ୍ତି। ଉକ୍ତ ବୈଠକରେ ଯୋଗଦେବା ଲାଗି ନବୀନ ସହମତି ଜଣାଇଥିବା ଜଣାପଡ଼ିଛି। ସୀମା ପୁନଃ ନିର୍ଦ୍ଧାରଣ ନେଇ ଓଡ଼ିଶାର କ’ଣ ସବୁ କ୍ଷତି ହେବ ସେନେଇ ଶୀଘ୍ର ବୈଠକ ଅନୁଷ୍ଠିତ ହେବା ସହ ଆଲୋଚନା ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ନବୀନଙ୍କ ସହ ସାକ୍ଷାତ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଦୟାନିଧି କହିଛନ୍ତି, ତାମିଲନାଡୁ, କର୍ନାଟକ, କେରଳ, ତେଲଙ୍ଗାନା, ଓଡ଼ିଶା ଏବଂ ପଞ୍ଜାବ ଭଳି ରାଜ୍ୟ ସୀମା ପୁନଃ ନିର୍ଦ୍ଧାରଣରେ ସିଧାସଳଖ କ୍ଷତି ସହିବେ। ଏହାଦ୍ୱାରା ନଦର୍ନ ରାଜ୍ୟଗୁଡିକ ବଢ଼ିବ, କାରଣ ସେଗୁଡିକ ବିକଶିତ ରାଜ୍ୟ, ଯେଉଁମାନେ ଦେଶକୁ କଣ୍ଟ୍ରୋଲ କରିଥାଆନ୍ତି। ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ସୀମା ପୁନଃ ନିର୍ଦ୍ଧାରଣ ଯୋଗୁ ରାଜ୍ୟର କ୍ଷତି ହେବାର ଯୋଉଁ ଆଶାଙ୍କା ରହିଛି ତାକୁ ନେଇ ଆଲୋଚନା ହେବ। ତେଣୁ କେଉଁ ରାଜ୍ୟର କ’ଣ କ୍ଷତି ହେବ ତା’ଉପରେ ଆଲୋଚନାରେ ଭାଗନେବା ଲାଗି ନବୀନ ପଟ୍ଟନାୟକ ସହମତି ଜଣାଇଥିବା ଦେବୀ ସୂଚନା ଦେଇଛନ୍ତି।
ଅନ୍ୟପଟେ ତାମିଲନାଡୁର ଏହି ପ୍ରତନିଧି ପରବର୍ତ୍ତୀ ସମୟରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କୁ ମଧ୍ୟ ଭେଟିଛନ୍ତି। ଏହି ଅବସରରେ ସୀମା ପୁନଃ ନିର୍ଦ୍ଧାରଣ ନେଇ ହେବାକୁ ଥିବା ବୈଠକରେ ଯୋଗଦେବା ଲାଗି ପିସିସି ସଭାପତିଙ୍କୁ ସେମାନେ ନିମନ୍ତ୍ରଣ କରିଥିଲେ। କଂଗ୍ରେସ ମଧ୍ୟ ବୈଠକରେ ସାମିଲହେବ ବୋଲି ସୂଚନା ଦେଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ ଏହି ପ୍ରସଙ୍ଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏ ନେଇ ଚିଠି ଲେଖିଥିଲେ। କେନ୍ଦ୍ର ସୀମା ପୁନଃ ନିର୍ଦ୍ଧାରଣ କରାଇବାକୁ ଯେଉଁ ଚେଷ୍ଟା କରୁଛି ଏହାଦ୍ୱାରା ଓଡ଼ିଶା ସମେତ ୫ଟି ରାଜ୍ୟର ବ୍ୟାପକ କ୍ଷତି ହେବ ବୋଲି ଉଲ୍ଲେଖ କରିବା ସହ ଆଗାମୀ ଦିନରେ ଏନେଇ ହେବାକୁ ଥିବା ବୈଠକରେ ଯୋଗଦେବାକୁ ଅନୁରୋଧ କରିଥିଲେ। ହେଲେ ଏନେଇ ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।


