ଭୁବନେଶ୍ୱର,୧୫ା୧(ଅନିଲଦାସ): ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ କର୍ତ୍ତବ୍ୟରତ ପୋଲିସ୍ ଅଧିକାରୀଙ୍କୁ ମାଡ଼ ମାରିବା ସହ ଭାଜପା କର୍ମୀଙ୍କୁ ବାଡ଼େଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଅରାଜକତା ଓ ଉଦ୍ବେଗଜନକ ସ୍ଥିତି ସୃଷ୍ଟି ହୋଇଛି ବୋଲି ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ବିଜେଡି ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଲେନିନ୍ ମହାନ୍ତି କହିଛନ୍ତି ା
ଏକ ଖବରଦାତା ସମ୍ମିଳନୀରେ ମୁଦୁଲି କହିଛନ୍ତି ଯେ, ନୂଆବର୍ଷରେ ନୂଆ ସରକାର ଓଡ଼ିଶାବାସୀଙ୍କୁ ଏକ ଅଲୋଡ଼ା ଉପହାର ଦେଇଛି। ସୋମବାର ନେମାଳଠାରେ ଆଇନମନ୍ତ୍ରୀଙ୍କ ଉପସ୍ଥିତିରେ ଆଇନକୁ ହାତକୁ ନେଇ ଶାସକ ଦଳ ବିଧାୟକ ସାରଦା ପ୍ରଧାନ ଜଣେ କର୍ତ୍ତବ୍ୟରତ ପୋଲିସ୍ ଅଫିସରଙ୍କୁ ଯେଉଁଭଳି ଭାବରେ ମାଡ଼ ମାରିଲେ ତାହା ଅତ୍ୟନ୍ତ ଲଜ୍ଜାଜନକ। ଭାଜପା କର୍ମୀମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ପିଟୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହା ପୂର୍ବରୁ କଟକରେ ଆୟୋଜିତ କେନ୍ଦ୍ରମନ୍ତ୍ରୀଙ୍କ ଏକ ସଭାରେ ପୋଲିସ ଉପସ୍ଥିତିରେ ଭାଜପାର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। କାର୍ଯ୍ୟକ୍ରମ ପରେ ଅଭିଯୁକ୍ତଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଳେଇ ନେବା ଦେଖିବାକୁ ମିଳିଛି। ବାଡ଼ ଯଦି କ୍ଷେତ ଖାଇବ ଆମେ କହିବା କାହାକୁ ବୋଲି ମୁଦୁଲି କହିଛନ୍ତି।
ଲେନିନ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ଦିନ ଭୁବନେଶ୍ୱରର ଛାତି ଉପରେ ଜଣେ ପୋଲିସ୍ ମିତ୍ରକୁ ବର୍ବରୋଚିତ ଭାବେ ହତ୍ୟାକରି ମୁଣ୍ଡ ଗଣ୍ଡି ଅଲଗା କରିଦେବା, ରାଜ୍ୟରେ ଆଇନଶୃଙ୍ଖଳାର ବିକଳ ଚିତ୍ରକୁ ଦର୍ଶାଉଛି। ସ୍ପଷ୍ଟ ଦିବାଲୋକରେ ଅପରାଧୀମାନେ ଅପରାଧ ଘଟାଇ ଖସି ପଳାଇବାରେ ସକ୍ଷମ ହେଉଛନ୍ତି। ଭାଜପା ସରକାରକୁ ଆସିବା ପରେ ଗତ ୭ମାସ ମଧ୍ୟରେ ପ୍ରାୟ ୧୩ ଶହରୁ ଉର୍ଦ୍ଧ୍ୱ ମହିଳା ବଳାତ୍କାର ଓ ହତ୍ୟାଭଳି ଅପରାଧର ଶିକାର ହୋଇଛନ୍ତି। ଆଇନମନ୍ତ୍ରୀଙ୍କ ଉପସ୍ଥିତିରେ ଶାସକ ଦଳର ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି ହେଉ ବା ୩୦୭ ଦଫାରେ ଅଭିଯୁକ୍ତଙ୍କୁ କେନ୍ଦ୍ରମନ୍ତ୍ରୀ କୋଳାଗ୍ରତ କରିବାରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ, ଭାଜପା ନେତାମାନେ ଆଇନର ଉର୍ଦ୍ଧ୍ୱରେ ଏବଂ ଆଇନ ବ୍ୟବସ୍ଥା ପ୍ରତି ସେମାନଙ୍କର ସାମାନ୍ୟତମ ସମ୍ମାନ ନାହିଁ ା ରାଜ୍ୟ ସରକାର ତୁରନ୍ତ ମାହାଙ୍ଗା ବିଧାୟକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଲେନିନ୍ କହିଛନ୍ତି।