ତେଲେଇ ହେବାକୁ…

ଭୁବନେଶ୍ୱର,୧୮ା୧(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନରେ କ୍ଷମତାରୁ ଯିବାପରଠାରୁ ଦଳୀୟ ବ୍ୟାପାରରେ ସମ୍ପୂର୍ଣ୍ଣ ନୀରବ ରହି ଆସୁଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ହଠାତ୍‌ କ୍ରିୟାଶୀଳ କିପରି ହୋଇଗଲେ ତାହାକୁ ନେଇ ସବୁଆଡ଼େ ଚର୍ଚ୍ଚା ଜୋର୍‌ ଧରିଛି। ଯେତେବେଳେ ବିରୋଧୀ ଦଳ ପାଇଁ ବିଧାୟକଙ୍କ ସଂଖ୍ୟାରେ ହ୍ରାସ ନ ଘଟିବା ଜରୁରୀ ବୋଲି ସମସ୍ତେ ମନେକରୁଛନ୍ତି, ସେହି ସମୟରେ ୨ ଜଣ ବିଧାୟକଙ୍କୁ ବିଜେଡିରୁ ବିଦାକରି ନବୀନ କି ବାର୍ତ୍ତା ଦେବାକୁ ଚାହିଁଲେ ତାହା ବର୍ତ୍ତମାନ ସବୁଠାରୁ ଆଲୋଚ୍ୟର ବିଷୟ ପାଲଟିଛି। ଅଧିକ ଚର୍ଚ୍ଚା ହେଉଛି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ୱନକୁ ନେଇ। ଅରବିନ୍ଦ ମଧ୍ୟ ସିଧାସଳଖ ନେତୃତ୍ୱଙ୍କୁ ଚ୍ୟାଲେଞ୍ଜକରି ତାଙ୍କର ଭୁଲ୍‌ କ’ଣ ସେକଥା ଜଣାଯାଉ ବୋଲି ବାରମ୍ୱାର ପ୍ରଶ୍ନ କରୁଛନ୍ତି। ଯଦି ବିଜେଡି ବିଧାୟକମାନଙ୍କ ସଂଖ୍ୟାରେ ହ୍ରାସ ଘଟେ ତାହା ଆଗାମୀ ଦିନରେ କାହାକୁ ଅଧିକ ସୁହାଇବ ସେହି ଦିଗକୁ ନେଇ ରାଜ୍ୟ ରାଜନୀତିରେ ବେଶ୍‌ ଚର୍ଚ୍ଚା ହେଉଛି। ସାଧାରଣ ନିର୍ୱାଚନ ପରଠାରୁ ଏଯାଏ କୌଣସି ଜାତୀୟ ହେଉ ବା ରାଜ୍ୟ ପ୍ରସଙ୍ଗରେ ନବୀନ ପ୍ରଧାନମନ୍ତ୍ରୀ କିମ୍ୱା ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ବାବଦରେ ପଦୁଟିଏ ହେଲେ ମୁହଁ ଖୋଲିନାହାନ୍ତି। ଏମିତି ନୁହେଁ କି, ଦେଶରେ ଏଭଳି କିଛି ଘଟଣା ଘଟି ନାହିଁ ଯେଉଁ କଥାରେ ନବୀନ ଏତେଦିନ ଭିତରେ କିଛି କହିପାରି ନ ଥାଆନ୍ତେ ବୋଲି ଜାଣିବାଶୁଣିବା ମହଲରେ ଚର୍ଚ୍ଚା ହେଉଛି। ତେଣୁ ଯାହା କିଛି ଘଟଣା ଗଲା ୩ ଦିନ ହେବ ବିଜେଡିରେ ଘଟିଲାଣି ତାହା ଗୋଟେ ଆଡୁ ନୁହେଁ ବରଂ ୨ ଆଡୁ ହେଉଛି ବୋଲି ଚର୍ଚ୍ଚା ଜୋର୍‌ ଧରିଲାଣି। ଏକଥା କାହାକୁ ଲୁଚାଛପା ନାହିଁ ଯେ, ବିଜେଡିରେ ଯାହାସବୁ ଘଟୁଛି, ତାହା କେଉଁ ଗୋଷ୍ଠୀ ଇଙ୍ଗିତରେ ହେଉଛି। ସେହି ଗୋଷ୍ଠୀ ଏବେ ଭାଜପା ଶୀର୍ଷ ନେତୃତ୍ୱଙ୍କ ପାଖରେ ତେଲେଇହେବାକୁ ବିଜେଡି ନେତୃତ୍ୱଙ୍କ ଜରିଆରେ ବିଜେଡିରେ ଏପରି ଏକ ହଟଚମଟ ସୃଷ୍ଟି କରୁଛି ବୋଲି ଶୁଣିବାକୁ ମିଳିଲାଣି।
ନବୀନ ନିବାସରେ ରହି ଦଳୀୟ କାର୍ଯ୍ୟରେ ମାମଲତି କରୁଥିବା ଜଣେ ଅଫିସର ହିଁ ଅନେକ କଥା ବିଭିନ୍ନ ସମୟରେ ବାହାରେ ପ୍ରଚାର କରୁଛନ୍ତି। ଏପରି ନୁହେଁ, ସେହି ଅଫିସର ଜଣକ ଜଣେ ବୋକା। କିଛିଦିନ ହେବ ନବୀନ ନିବାସ ଲଗାତର ଆସିବାରେ ସମସ୍ୟା ଭୋଗୁଥିବା ପୂର୍ୱତନ ପ୍ରଶାସନିକ ଅଧିକାରୀ ଜଣକ ଏପରି କଥା ବାହାରେ ପ୍ରଚାର କରିବାକୁ ଇଙ୍ଗିତ କରିଥାଇପାରନ୍ତି। ଏହାଦ୍ୱାରା ଯେପରି ତାଙ୍କ ପ୍ରଭାବ ପୁଣିଥରେ ଦଳର ସବୁ ନେତାଙ୍କ ନିକଟରେ ଅନୁଭବ ହେବ। ଏହାଦ୍ୱାରା ବିଗତ ଦିନରେ ଯେପରି ଭାଜପା ନେତାଙ୍କୁ ବିଜେଡି ଭୋଟ ଦେଇ ରାଜ୍ୟ ସଭା ପଠାଇବାରେ ସଫଳ ହୋଇଥିଲେ ସେମିତି କିଛି ଆଗକୁ କରିପାରିବେ। ଜଣେ ବିଧାୟକଙ୍କ ସୂତ୍ରରୁ ମିଳିଥିବା ଖବର ମୁତାବକ, ଆଗରୁ କଥା କଥାରେ ବିଜେଡିରେ କିଛି ଘଟଣା ଘଟିଲେ ଭାଜପା ନେତାମାନେ ଆଗକୁ ଆସି ଗୁଡ଼େଇ ତୁଡ଼େଇ ପ୍ରଶ୍ନବାଣରେ ବିଜେଡିକୁ ଆକ୍ରମଣ କରୁଥିଲେ। ହେଲେ ଗତ ୩ ଦିନର ଘଟଣାବଳୀକୁ ଯଦି ଲକ୍ଷ୍ୟ କରାଯାଏ, ବିଜେଡି ବିଷୟରେ କୌଣସି ଭାଜପା ନେତା ପଦୁଟିଏ ମୁହଁ ଖୋଲୁନାହାନ୍ତି। ତେଣୁ ୪ ରାଜ୍ୟ ସଭା ଆସନ, ଯାହା କିଛିଦିନ ପରେ ଖାଲିହେବାକୁ ଯାଉଛି, ସେଥିରେ ଭାଜପା ପାଇଁ କିଛି ସମସ୍ୟା ସୃଷ୍ଟି ହୋଇଛି, ଯେଉଁଥିପାଇଁ ନବୀନଙ୍କ ଘନିଷ୍ଠ ସହଯୋଗୀଙ୍କ ମୁଣ୍ଡ ବର୍ତ୍ତମାନ ବୁଲାଇବା ଆରମ୍ଭ କରିଛି। ଯଦି ବିଜୟ ମହାପାତ୍ର ଗତ ୧୨ ତାରିଖରେ ଝାରସୁଗୁଡ଼ା ଯାଇ ରୁଦ୍ଧଦ୍ୱାର ବୈଠକ କରିଥିବା ଖବର ସତ ହୋଇଥାଏ, ତାକୁ ଦେଖିଲେ ବି ବୁଝାପଡୁଛି ସେଥିରେ ଭାଜପାର କ୍ଷତି ହେବାର ଆଶଙ୍କା ରହିଥାଇପାରେ। କାରଣ ବିଜେଡି ତ ପୂର୍ୱରୁ ନିଜର ଗୋଟିଏ ରାଜ୍ୟ ସଭା ଆସନକୁ ୨ ଥର ଭାଜପା ହାତକୁ ଟେକି ଦେଇସାରିଛି। ତେଣୁ ଏସବୁ ଘଟଣାବଳୀ ଭାଜପା ପାଇଁ ସୃଷ୍ଟି ହେଉଥିବା କ୍ଷତିକୁ ଆକଳନକରି ତାକୁ ରୋକିବା ଦିଗରେ ଏକ ବଡ଼ ଉଦ୍ୟମ ହୋଇଥାଇପାରେ ବୋଲି ବିଧାୟକ ଜଣକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।
ତାଙ୍କର ଆହୁରି କହିବା କଥା ହେଲା, ରାଜ୍ୟର ଅନେକ ବର୍ଗ ଜାଣିଛନ୍ତି, ଦିଲ୍ଲୀରେ ବସିଥିବା କେତେଜଣ ଓଡ଼ିଶା ନେତା ବର୍ତ୍ତମାନ ରାଜ୍ୟର ଭାଜପା ସରକାରଙ୍କ ଅନେକ ଘଟଣାରେ ମୁଣ୍ଡ ପୂରାଉଛନ୍ତି। ଯଦି ରାଜ୍ୟ ରାଜନୀତିରେ କିଛି ଏପରି ଘଟଣା ଘଟେ, ଯାହା ଭାଜପାର କ୍ଷତି ହେବ, ତେବେ ଦିଲ୍ଲୀର ଶୀର୍ଷ ନେତୃତ୍ୱଙ୍କ ନିକଟରେ ସେମାନଙ୍କ ଦକ୍ଷତା ନେଇ ପ୍ରଶ୍ନ ଉଠିପାରେ। ତେଣୁ ସେସବୁ କଥାକୁ ଲକ୍ଷ୍ୟକରି ରାଜ୍ୟ ସଭା ଅଙ୍କ ଯେପରି ନ ବିଗିଡ଼ିବ, ସେଥିଲାଗି ବିଜେଡି ଏବେ ଶୃଙ୍ଖଳା ନଁାରେ ପ୍ରତିକାର କରିବା ଆରମ୍ଭ କରିଦେଇଛି ବୋଲି ସେ କହିଛନ୍ତି। ଗତ ଶୁକ୍ରବାର ଧରିତ୍ରୀରେ ‘ପ୍ରାୟୋଜିତ ଭୟ’ ଶୀର୍ଷକରେ ଏକ ଖବର ପ୍ରକାଶିତ ହୋଇଥିଲା। ବିଜୁ ଛାତ୍ର ଜନତା ଦଳର ଜଣେ ଆଗଧାଡ଼ି ନେତାଙ୍କ ସହ ଏ ଖବର ସମ୍ପର୍କରେ ଆଲୋଚନା ହେଲା। ସେହି ସମୟରେ ତାଙ୍କ ନିକଟରେ ଆମର ପ୍ରଶ୍ନ ଥିଲା, ବିଭିନ୍ନ ରାଜ୍ୟରେ ବିରୋଧୀ ହୁଅନ୍ତୁ ବା ସେହି ରାଜ୍ୟଗୁଡିକର ଆଞ୍ଚଳିକ ଦଳଗୁଡ଼ିକ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ କଡ଼ା ସମାଲୋଚନା କରୁଛନ୍ତି। ଯେତେବେଳେ ରାଜ୍ୟରେ ଭାଜପା ବିରୋଧୀ ଦଳ ଆସନରେ ଥିଲା, ସେହି ସମୟରେ ସେମାନେ ପ୍ରତ୍ୟେକ ପ୍ରସଙ୍ଗରେ ବିଜେଡି ସରକାରକୁ ଟାର୍ଗେଟକରି ଦିନରାତି ରାସ୍ତାକୁ ଓହ୍ଲାଉଥିଲେ, ହେଲେ ବିଜେଡିରେ ନବୀନଙ୍କ ସହଯୋଗୀ କାହିଁକି ସେକଥା ଚାହୁଁନାହାନ୍ତି। ତାଙ୍କ ଉତ୍ତର ଥିଲା, ସାର୍‌ ଚାହୁଁଛନ୍ତି ଏବେ ବିଜେଡି ସେମିତି କିଛି କାର୍ଯ୍ୟକ୍ରମ ନ କରୁ, ଯେଉଁଥିଲାଗି ତାଙ୍କ ଦଳର ଅନେକ ନେତାଙ୍କୁ ଜେଲ ଯିବାକୁ ପଡିବ। ସେଥିଲାଗି ସେ ନିଜେ ମଧ୍ୟ ରାସ୍ତାକୁ ଓହ୍ଲାଉନାହାନ୍ତି, ବରଂ ପଛରେ ରହି ସବୁ ଭାବିଚିନ୍ତି କରୁଛନ୍ତି ବୋଲି ସେ କହିଛନ୍ତି। ଦଳର ଛାତ୍ର ଓ ଯୁବ ସଙ୍ଗଠନ ଶେଷଥର କାହା ଦ୍ୱାରା ଚୟନ କରାଯାଇଛି ସେକଥା ବିଜେଡିର ପ୍ରାୟ ସବୁ ବର୍ଗର ନେତାଙ୍କୁ ଭଲ ଭାବେ ଜଣାଅଛି ବୋଲି ସବୁଠି ଆଲୋଚନା ହେଉଛି। ତେଣୁ ଛାତ୍ରନେତାଙ୍କ କହିବା ଅନୁଯାୟୀ, ଭାଜପା ସପକ୍ଷରେ ତେଲେଇ ହେବାକୁ ଏବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନା ନାହିଁ ସେକଥା ଆସନ୍ତା ରାଜ୍ୟ ସଭା ଭୋଟିଂ ସମୟରେ ସ୍ପଷ୍ଟ ହୋଇଯିବ ବୋଲି ବୁଝିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?