ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଥୁରାନଗରୀକୁ ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସିପାରନ୍ତି ବୋଲି ରବିବାର ରାଜ ଦରବାରରେ ରାଜ ଅତିଥିଭାବେ ଯୋଗଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ତେବେ ଏହି ସୂଚନା ପରେ ସୋମବାର ବରଗଡ଼ ଜିଲା ବିଜେଡି ଏକ ବଡ଼ ଦାବି କରିଛି । ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଗସ୍ତ ସମୟରେ ମଥୁରାନଗରୀ ତଥା ସମଗ୍ର ବରଗଡ଼ ଜିଲା ଚାଷୀଙ୍କ
ଧାନ କିଣାବିକା ସମସ୍ୟା ତଥା ଧାନ ସଂଗ୍ରହ ପ୍ରକ୍ରିୟା ଅଗ୍ରଗତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ କରିବା ସହିତ ଚାଷୀ ସମସ୍ୟାର ତ୍ୱରିତ୍‌ ସମାଧାନ କରିବା ପାଇଁ ବିଜେଡି ଦାବି କରିଛି । ଏହା ସହିତ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଦାବିପତ୍ର ଗ୍ରହଣ କରିଥିଲେ। ଦାବିପତ୍ରରେ ଉଲ୍ଲେଖ ରହିଛି, ଡିସେମ୍ବର ମାସ ଶେଷ ହେବାକୁ ବସିଥିବା ବେଳେ
ଚଳିତ ବର୍ଷ ଧାନବିକ୍ରି ପ୍ରକ୍ରିୟା ମନ୍ଥର ଗତିରେ ଚାଲିଛି । ଚାଷୀମାନେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଧାନବିକ୍ରିରେ ଟୋକନ ପ୍ରଦାନରେ ଅନିୟମିତତା, ଅବ୍ୟବସ୍ଥା, ଧାନ ସଂଗ୍ରହ ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବ କରାଯିବା, ମିଲର୍ସ ଓ ଯୋଗାଣ ବିଭାଗ ଅପାରଗତା, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅତ୍ୟଧିକ କ୍ଷତିଗ୍ରସ୍ତ ହେବା, ଧାନର ଅଭାବୀ ବିକ୍ରି, ମଣ୍ଡିରୁ ମିଲକୁ ଧାନ ନେବା ପାଇଁ ଚାଷୀଙ୍କୁ ବାଧ୍ୟ କରାଯିବା, ଚାଷୀଙ୍କୁ ଅଖା ନ ଯୋଗାଇବା, ଧାନବିକ୍ରି ହେବାର ୧୫ ଦିନ ପର୍ଯ୍ୟନ୍ତ ମଧ୍ୟ ଟଙ୍କା ନ ମିଳିବା, ଧାନ କୁଇଣ୍ଟାଲ ପ୍ରତି କେନ୍ଦ୍ର ସରକାରଙ୍କ ଦାରା ବର୍ଦ୍ଧିତ ୬୯ ଟଙ୍କା ପ୍ରଦାନ କରା ନ ଯିବା, କଟନୀଛଟନୀ ବନ୍ଦ ନ ହେବା ଆଦି ସମସ୍ୟା ଦାବିପତ୍ରରେ ଉଲ୍ଲେଖ ରହିଛି। ଏଥିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ତୁରନ୍ତ ଏହି ସମସ୍ୟା ଗୁଡିକର ସମାଧାନ ପାଇଁ ବିଜେଡି ଦାବି କରିଛି। ଆସନ୍ତା ୨୦୨୬ ଜାନୁଆରୀ ମାସ ୧୦ତାରିଖ ସୁଦ୍ଧା ଏହାର ସମାଧାନ ନ ହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଦଳର ଜିଲା ସଭାପତି ସୁଶାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ, ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା, ସୁଶାନ୍ତ ମିଶ୍ର, ଅନୁପ କୁମାର ଶତପଥୀ, ଗଣତନ୍ତ୍ର ପ୍ରଧାନ, କିଶୋର ଦେବତା, ହରିଶଙ୍କର ବେହେରା, ରାଜୁ ଘିବେଲା, ପଦ୍ମିନୀ ଗଡତିଆ, ରାଜ୍ୟ ଯୁବ ବିଜେଡିର ବରିଷ୍ଠ ଉପସଭାପତି ଜିତୁ ଭୋଇ, ସୁଶାନ୍ତ ସାହୁ, ସୁବ୍ରତ ଚାନ୍ଦ, ଆନନ୍ଦ ଖମାରୀ, କୀର୍ତ୍ତି ଚନ୍ଦ୍ର ଦୁଆନ ନରେନ୍ଦ୍ର ପଣ୍ଡା,କମଳ ତାଣ୍ଡି,ଅବିନାଶ ମଲ୍ଲିକ,ଜ୍ୟୋତ୍ସ୍ନା ପାଇକ, କବିତା ବେହେରାଙ୍କ ସମେତ ବହୁସଂଖ୍ୟକ ଦଳୀୟ କର୍ମୀ ଦାବିପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ।

Dharitri – The Largest & Most Trusted Odia Daily