କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଭୁବନେଶ୍ବର ପରେ ଏବେ କଟକରେ କିଛି ବିଜେଡି ନେତା ମେଳି କରିଛନ୍ତି । ଏକାଠି ହୋଇଥିଲେ ବିଜେଡିର କିଛି ଯୁବ ଓ ବରିଷ୍ଠ ନେତା ।
ସୂଚନା ଅନୁସାରେ, କଟକ ତେଲେଙ୍ଗାପେଣ୍ଠ ଫାର୍ମହାଉସ୍ରେ ମେଳି ହୋଇଥିଲେ । ସେହି ସମୟର ଫଟୋ ମଧ୍ୟ ଭାଇରାଲ ହେଉଛି । ଦେବାଶିଷ ସାମନ୍ତରାୟ, ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ବିତ ରାଉତରାୟ, ଅଂଶୁମାନ ମହାନ୍ତି ଉପସ୍ଥିତ ଥିଲେ । ବିଷ୍ଣୁବ୍ରତ ରାଉତରାୟ ଓ ରୁଦ୍ର ମହାରଥୀ ବି ମେଳିରେ ଥିଲେ ।
ତେବେ ବିଜେଡି ନେତାଙ୍କ ମେଳିକୁ ନେଇ ଦେବାଶିଷ ସାମନ୍ତରାୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଜୁ ଯୁବ ଏବଂ ଛାତ୍ର ସଂଗଠନ କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ଅସନ୍ତୋଷ ଝାଡିଛନ୍ତି । କହିଲେ, କଟକରେ ଯେଉଁମାନେ ବିଜେଡି ବାନାକୁ ଟେକି ଧରିଥିଲେ ସେମାନଙ୍କର ଆଉ ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ମେୟର ନିର୍ବାଚନରେ ସେମାନଙ୍କର ଭୂମିକା କାହାକୁ ଅଛପା ନାହିଁ । ମେୟର ନିର୍ବାଚନରେ ୩୧ ରୁ ୨୮ ଟି କର୍ପୋରେଟ ଆସନରେ ଜିତିଥିଲୁ । ଚିନ୍ମୟ ଏବଂ ଇସ୍ପିତା କଟକ ବାବଦରେ କଣ ଜାଣନ୍ତି । ମୁଁ ଭାବୁଛି ଏବେ ନିଷ୍ପତ୍ତି ନେଇନଥିବେ । ଏଭଳି କର୍ମକର୍ତ୍ତା ବଛାଯିବ ସଂଗଠନ ବହୁତ ଦୁର୍ବଳ ହେବ ।
ପାଣ୍ଡିଆନ ଦମ୍ପତିଙ୍କୁ ପ୍ରଭାତ ବିଶ୍ବାଳଙ୍କ ପ୍ରଶଂସାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଲେ । ନାଲି ବାବା କହି ପ୍ରଭାତ ବିଶ୍ବାଳଙ୍କୁ ତାଚ୍ଛଲ୍ୟ କଲେ ଦେବାଶିଷ । ଆଗରୁ ଶୋଧୁଥିଲେ, ଏବେ କାହିଁକି ପ୍ରଶଂସା କରୁଛନ୍ତି ମୁଁ ଜାଣିନି ବୋଲି କହି ସେ ଟାର୍ଗେଟ କରିଛନ୍ତି ।