ନୂଆପଡ଼ା ରାଜନୀତିରେ ନୂଆମୋଡ଼: ଭାଜପାରେ ସାମିଲ ହେଲେ ବିଜେଡି ନେତା ଲମ୍ବୋଦର ନିଆଲ

ନୂଆପଡ଼ା,୧୬ା୧୦(ମକାରୁ ବେମାଲ): ନୂଆପଡ଼ା ରାଜନୀତିରେ ନୂଆମୋଡ଼ ଆସିଛି। କଳାହାଣ୍ଡି ଲୋକ ସଭା ଆସନରୁ ବିଜେଡି ଟିକେଟ୍‌ରେ ନିର୍ବାଚନ ଲଢ଼ିଥିବା ଲମ୍ବୋଦର ନିଆଲ ଶେଷରେ ଭାଜପାରେ ସାମିଲ ହୋଇଛନ୍ତି। ଫଳରେ ବିଜେଡିକୁ ପୁଣି ଏକ ଶକ୍ତ ଝଟ୍‌କା ଲାଗିଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

ନୂଆପଡ଼ା ଉପନିର୍ବାଚନ ପାଇଁ ବୁଧବାର ଉଭୟ ଶାସକ ଭାଜପା ଏବଂ ବିରୋଧୀ ବିଜେଡିର ପ୍ରାର୍ଥୀ ଘୋଷଣା କରାଯାଇଛି। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ଭାଜପା ଟିକେଟ ଦେଇଛି। ଏନେଇ ଭାଜପା ସଂସଦୀୟ ବୋର୍ଡ ପକ୍ଷରୁ ବୁଧବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବିଜେଡିର ପ୍ରାର୍ଥୀ ଘୋଷଣା। ବିଜେଡି ଏହି ଉପନିର୍ବାଚନରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ବିଜୁ ମହିଳା ଜନତା ଦଳର ସଭାପତି ଥିବା ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି। ନୂଆପଡ଼ା ନିର୍ବାଚନମଣ୍ଡଳୀ ବାହାରୁ ସ୍ନେହାଙ୍ଗିନୀଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଏହା ନବୀନଙ୍କ ଆଉ ଏକ ମାଷ୍ଟର ଷ୍ଟ୍ରୋକ୍‌ ବୋଲି ଚର୍ଚ୍ଚା ହେଉଛି।

ବିଜେଡି ଢୋଲକିଆଙ୍କ ପରିବାରରୁ ପ୍ରାର୍ଥୀ ଦେବ ବୋଲି ପ୍ରଥମେ ଭାବିଥିଲା। ହେଲେ ପରବର୍ତ୍ତୀ ସମୟରେ ଜୟ ଭାଜପାରେ ଯୋଗଦେଇଥିଲେ। ଏହାପରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ନାନା ଆଲୋଚନା ଲାଗି ରହିଥିଲା। କେତେଜଣ ସ୍ଥାନୀୟ ନେତାଙ୍କ ନାଁକୁ ନେଇ ଦଳ ପ୍ରାର୍ଥୀ କରିବା କଥା ଚିନ୍ତା କରୁଥିବା ଶୁଣାଯାଉଥିଲା। ହେଲେ ସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇ ନବୀନ ଦଳର ରାଜ୍ୟ ମହିଳା ସଭାପତିଙ୍କ ଉପରେ ଭରସା କରିଛନ୍ତି। ବରଗଡ଼ ଜିଲାର ଅତାବିରା ବିଧାନସଭା ଆସନରୁ ୨୦୨୪ରେ ନିର୍ବାଚନ ଲଢ଼ି ସ୍ନେହାଙ୍ଗିନୀ ପରାଜିତ ହୋଇଥିଲେ। ସ୍ନେହାଙ୍ଗିନୀଙ୍କ ପ୍ରାର୍ଥତ୍ତ୍ୱ ଘୋଷଣା ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ସ୍ନେହାଙ୍ଗିନୀ ଛୁରିଆ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତ୍ରୀ, ଯିଏ ବିଗତ ଦିନରେ ବିଜେଡି ସରକାରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଦଳର ବହୁ ପଦପଦବୀରେ ରହି ଅନେକ ଗୁରୁତ୍ୱ ପ୍ରସଙ୍ଗ ଉଠାଇଛନ୍ତି। ସେ ଦଳର ସମ୍ପତ୍ତି। ଜଣେ ମହିଳା ନେତ୍ରୀ। ସେ ରାଜ୍ୟର ଲୋକମାନଙ୍କ ପାଇଁ ବହୁ କାମ କରିଛନ୍ତି। ବିଶେଷକରି ଗରିବ ଏବଂ ମହିଳାମାନଙ୍କ ପାଇଁ ସେ ବହୁ ଭଲ କାର୍ଯ୍ୟ କରିଛନ୍ତି। ଉପନିର୍ବାଚନ ସମୟରେ ନୂଆପଡ଼ାକୁ ପ୍ରଚାରରେ ଯିବେ ବୋଲି ନବୀନ କହିଛନ୍ତି। ସୂଚନାଯୋଗ୍ୟ, ଜୟ ଭାଜପାରେ ଯୋଗଦେବା ପରେ ବିଜେଡିର ବହୁ ବରିଷ୍ଠ ନେତା ଦଳର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ଗସ୍ତ କରିଥିଲେ। ସେଠାରେ ଦଳର ନେତା ଓ କର୍ମୀମାନଙ୍କ ସହ ଏକାଧିକ ବୈଠକ କରିବା ପରେ ସମସ୍ତେ ମଙ୍ଗଳବାର ରାତି ସୁଦ୍ଧା ଫେରି ଆସିଥିଲେ। ଏହାପରେ ବୁଧବାର ନବୀନ ନିବାସରେ ୨ଥରରୁ ଅଧିକ ବୈଠକ ବସିଥିଲା। ଶେଷରେ ସ୍ନେହାଙ୍ଗିନୀଙ୍କ ନାଁ ଘୋଷଣା କରାଯାଇଥିଲା। ମହିଳା ଏବଂ ଆଦିବାସୀ କାର୍ଡ ବିଜେଡି ଖେଳିଥିବା କୁହାଯାଉଛି। ଆସନ୍ତା ୧୯ରେ ବିଜେଡି ପ୍ରାର୍ଥୀ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share