ବିଜେଡିକୁ ପରାଜୟ ଭୟ

ଭୁବନେଶ୍ୱର, ୨୨।୧୦(ସୁନିତ୍‌ ମିଶ୍ର): ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ନେଇ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ସାମାଜିକ ଗଣମାଧ୍ୟମରେ ଅତ୍ୟନ୍ତ ଅଭଦ୍ର, ଅଶାଳୀନ ଓ ଶସ୍ତା ମନ୍ତବ୍ୟ ଦେଇଛନ୍ତି। ଏହା ବିଜେଡିର ହତାଶାକୁ ପରିପ୍ରକାଶ କରୁଛି। ଉପନିର୍ବାଚନରେ ପରାଜୟରେ ଭୟଭୀତ ହୋଇ ଗୌତମବୁଦ୍ଧ ଏଭଳି ବୟାନବାଜି କରିଛନ୍ତି ବୋଲି ଭାଜପା ପକ୍ଷରୁ ସମାଲୋଚନା କରାଯାଇଛି। ଭାଜପା ରାଜ୍ୟ ଉପସଭାପତି ଯତୀନ ମହାନ୍ତି ରାଜ୍ୟ କାର୍ଯ୍ୟାଳୟଠାରେ ଖବରଦାତା ସମ୍ମିଳନୀକରି କହିଛନ୍ତି, ଦୀର୍ଘଦିନ ଧରି ନିର୍ଦ୍ଦିଷ୍ଟ ଅଣଓଡ଼ିଆ ଅଫିସରଙ୍କ ପାଇଁ ଚାମଚାଗିରି କରୁଥିବା ଓ ତାଙ୍କ ପାଇଁ ମଞ୍ଚ, ପେଣ୍ଡାଲ ବାନ୍ଧୁଥିବା ବିଜେଡି ନେତାଙ୍କ ମାନସିକତାରେ କୌଣସି ପରିବର୍ତ୍ତନ ଦେଖାଯାଉନାହିଁ। ନୂଆପଡ଼ାବାସୀ ବିଜେଡିର କଫିନ୍‌ରେ ଶେଷ କଣ୍ଟା ବାଡ଼େଇ ୨୪ ବର୍ଷ ଅହଂକାରର ଅନ୍ତ ଘଟାଇବେ। ଉପନିର୍ବାଚନରେ ଆସନ୍ନ ପରାଜୟରେ ଭୟଭୀତ ହୋଇପଡିଥିବାରୁ ତଥ୍ୟ ଓ ସତ୍ୟରୁ ନିବୃତ ରହି ନିଜ ଦୋଷ, ଦୁର୍ବଳତା ଓ ଅପାରଗତାକୁ ଲୁଚାଇବା ପାଇଁ ବିଜେଡି ନେତୃବୃନ୍ଦ ଏବେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି। ବିଜେଡିକୁ ପ୍ରାର୍ଥୀ ମିଳିଲା ନାହିଁ ବୋଲି ଅନ୍ୟ ଜିଲାରୁ ଜଣଙ୍କୁ ନେଇ ପ୍ରାର୍ଥୀ କରିଛି। ଭାଜପା ପ୍ରାର୍ଥୀଙ୍କ ବାପା ରାଜେନ୍ଦ୍ର ଢୋଲକିଆ ଜଣେ ସୁନାମଧନ୍ୟ ରାଜନେତା ଥିଲେ। ତାଙ୍କ ପ୍ରତି ବିପୁଳ ଜନସମର୍ଥନ ଥିଲା। ସେଠାରୁ ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଭଳି ଜଣେ ନେତାଙ୍କ ପୁଅଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଆଦୌ ଶୋଭନୀୟ ନୁହେଁ।

 

Dharitri – Odisha’s No.1 Odia Daily