ଭୁବନେଶ୍ୱର,୧୯ା୯(ସୁନିତ୍ ମିଶ୍ର):ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ଚଳିତ ଅଧିବେଶନରେ ଅନାସ୍ଥା ଆଣିବ ବୋଲି କଂଗ୍ରେସ ପକ୍ଷରୁ ବହୁ ଆଗରୁ ବାରମ୍ବାର କୁହାଯାଇଥିଲା। ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା, ଆଇନ ଶୃଙ୍ଖଳା ପରିସ୍ଥିତି, ଚାଷୀ ସମସ୍ୟା, ବେରୋଜଗାରି ବୃଦ୍ଧି ପାଉଥିବା ଆଦି ପ୍ରସଙ୍ଗ ନେଇ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଥିବା କହିଛି। ଅନାସ୍ଥା ପ୍ରସ୍ତାବକୁ ସମର୍ଥନଦେବା ଲାଗି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ବିଜେଡିର ସହଯୋଗ ଲୋଡ଼ିଛନ୍ତି। ଏହାପରେ ବିଜେଡି ବିଧାୟକ ପ୍ରତାପ ଦେବ ବିଜେଡି ପକ୍ଷରୁ ଗଠିତ ଫ୍ଲୋର ମ୍ୟାନେଜମେଣ୍ଟ କମିଟି ସହ ଦ୍ୱିପ୍ରହର ସମୟରେ ଏକ ବୈଠକ କରିଥିଲେ। କମିଟିରେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ପ୍ରତାପ ଦେବ, ଅରୁଣ କୁମାର ସାହୁ, ମନୋହର ରନ୍ଧାରୀ, ବ୍ରଜ କିଶୋର ପ୍ରଧାନ, ସାରଦା ନାୟକ, ଗୌତମବୁଦ୍ଧ ଦାସ ଏବଂ ସାରଦା ଜେନା ରହିଛନ୍ତି। ଦଳ ପକ୍ଷରୁ ଅନାସ୍ଥାକୁ ସମର୍ଥନ ନ ଦେବା ନେଇ ଏକ ପ୍ରକାର ସ୍ଥିର ହୋଇଥିବା ଜଣାପଡ଼ିଛି। ବିଜେଡି ପକ୍ଷରୁ ବିଭିନ୍ନ ପ୍ରସଙ୍ଗ ଉଠାଇ ଗୃହ ନ ଚଳାଇ ଦେବାକୁ ସ୍ଥିର କରାଯାଇଛି। ଏହାକୁ ବିଜେଡିର ବହୁ ବିଧାୟକ ଗ୍ରହଣ କରିନାହାନ୍ତି। ଭାଜପା ଏବଂ ବିଜେଡି ମଧ୍ୟରେ ଭଲ ସମ୍ପର୍କ ରହିଥିବା କଥା ଦୀର୍ଘଦିନରୁ ଚର୍ଚ୍ଚା ହୋଇଆସୁଛି। ସେଥିପାଇଁ ବିଜେଡିର ଅନେକ ନେତା ଏହାକୁ ବିରୋଧ ମଧ୍ୟ କରିଆସୁଛନ୍ତି। ଏବେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ନ କରିବା ଅର୍ଥ ପରୋକ୍ଷରେ ଭାଜପା ସହ ବିଜେଡିର ବୁଝାମଣା କଥା ପୁଣି ଥରେ ତଳସ୍ତରକୁ ଯିବ ବୋଲି ଦଳର ବହୁ ବିଧାୟକ ଯୁକ୍ତି ରଖୁଛନ୍ତି। ରାଜ୍ୟ ସରକାରଙ୍କ ବିରୋଧରେ ଯଦି ବିଜେଡି ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ଅଭିଯୋଗ କରାଯାଉଛି ତେବେ ଅନାସ୍ଥାକୁ ସମର୍ଥନ ଦେବାରେ ଅସୁବିଧା କେଉଁଠି ବୋଲି ଦଳର ବିଧାୟକମାନେ ହିଁ କୁହାକୁହି ହେଲେଣି। ଏଭଳି ସ୍ଥିତିରେ ବିଜେଡି ତଣ୍ଟିରେ ଅନାସ୍ଥା ଏକ କଣ୍ଟା ଭଳି ଲାଗିବାକୁ ଯାଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡି ସବୁବେଳେ ସମଦୂରତା ନୀତି ଅବଲମ୍ବନ କରିଆସିଛି। ଅନାସ୍ଥାକୁ ବାଚସ୍ପତି ଏ ପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି। ତେଣୁ ନଈ ନ ଦେଖୁଣୁ ଲଙ୍ଗଳା ହେବା
ଉଚିତ
ନୁହେଁ ବୋଲି ସେ କହିଛନ୍ତି। ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସମଦୂରତା ନୀତି ବିଷୟରେ କହିବା ପରେ ବିଜେଡି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଦେବ ନାହିଁ ବୋଲି ପରୋକ୍ଷରେ ଇଙ୍ଗିତ କରିଥିବା ଚର୍ଚ୍ଚା ହେଉଛି। ସେପଟେ ଦଳ ଭିତରେ ବର୍ତ୍ତମାନ ଆଉ ଏକ ନୂଆ କଥା ଚର୍ଚ୍ଚାକୁ ଆସିଛି। ଦଳର ବହୁ ବରିଷ୍ଠ ନେତା ପୂର୍ବରୁ ଜଣେ ଆଇଏଏସ୍ଙ୍କ ପଛରେ ଯେମିତି ଦୌଡୁଥିଲେ ବର୍ତ୍ତମାନ ସେହିଭଳି ଆଉ ଜଣେ ଓଏଏସ୍ ଅଫିସରଙ୍କ ପାଖରେ ନିଜର ଓଜନ ଖସାଇବାକୁ ବସିଲେଣି ବୋଲି ଶୁଣିବାକୁ ମିଳୁଛି। ନବୀନ ନିବାସରେ ଅଧିକାଂଶ ବିଷୟ ବୁଝାବୁଝି କରୁଥିବା ଜଣେ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ଦେଖା ହେବାକୁ ଦଳର ବରିଷ୍ଠ ନେତାମାନେ କୁଆଡ଼େ ସମୟ ମାଗୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ସେହି ଓଏଏସ୍ ଅଫିସର ଜଣଙ୍କ ଭି.କେ. ପାଣ୍ଡିଆନ୍ଙ୍କ ଏକାନ୍ତ ଅନୁଗତ ବୋଲି ସମସ୍ତେ ଜାଣନ୍ତି। ଅନାସ୍ଥା ପ୍ରସ୍ତାବକୁ ନେଇ ଚାଲିଥିବା ରାଜନୀତି ବିଷୟରେ ଚର୍ଚ୍ଚା ଆଉ ଆଲୋଚନା କରିବାକୁ ଅଧିକାଂଶ ନେତା ନବୀନ ନିବାସ ଯାଇ ସେହି ଓଏଏସ୍ ଅଧିକାରୀଙ୍କୁ ଭେଟିଥିବା ଜଣାପଡ଼ିଛି, ଯେତେବେଳେ କି ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି।