ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ଦାବି ନେଇ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଗତ ୫ତାରିଖରୁ ଧାନବସ୍ତା ଗଦା କରି ବରଗଡ଼ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ଧାନ କ୍ରୟକେନ୍ଦ୍ର ଉପରେ ନିର୍ଭରଶୀଳ ଗ୍ରାମର ଚାଷୀମାନେ ଏଭଳି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେବେ ଚାଷୀଙ୍କ ଦାବି ପୂରଣ ହେବା ତ ଦୂରର କଥା, ଜିଲାପାଳଙ୍କ କାର୍ଯ୍ୟାଳୟରେ ଦିନକୁ ଦିନ ଉତ୍ତେଜନା ବଢିବାରେ ଲାଗିଛି। ଗତ ୫ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଦା ହୋଇଥିବା ଧାନ ରାତାରାତି ଗାଏବ ହୋଇ ଯାଇଥିଲା। ଏହାକୁ ନେଇ ଚାଷୀମାନେ ଧାନ ଚୋରି ଅଭିଯୋଗ ନେଇ ବରଗଡ଼ ଟାଉନ ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ସେହି ଧାନର ସନ୍ଧାନ ଏ ପର୍ଯ୍ୟନ୍ତ ମିଳିପାରିନାହିଁ। ଅନ୍ୟପକ୍ଷରେ ଚାଷୀମାନେ ସୋମବାର ପୁଣି ବାଇକ ଯୋଗେ ଧାନବସ୍ତା ଆଣି ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଦା କରି ଧାରଣାରେ ବସିଥିଲେ। ମାତ୍ର ସନ୍ଧ୍ୟାରେ ପୋଲିସ ସେଠାକୁ ପହଞ୍ଚି ଜିଲାପାଳଙ୍କ କାର୍ଯ୍ୟାଳୟ ବାହାରକୁ ଧାନ ଉଠାଇ ନେଇଥିଲା। କେବଳ ସେତିକି ନୁହେଁ, ଧାରଣାରେ ବସିଥିବା ଏକାଧିକ ଚାଷୀଙ୍କୁ ଉଠାଇ ନେଇ ରାତିରେ ଛାଡିଥିଲା। ତଥାପି ଚାଷୀମାନେ ନିଜ ହକ୍ ଦାବିରେ ହାର୍ ମାନି ନ ଥିଲେ। ନିଜେ ରନ୍ଧାବଢା କରି ଭୋଜନ ସହିତ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଜାରି ରଖିଛନ୍ତି। ଚାଷୀଙ୍କ ଏହି ଆନ୍ଦୋଳନକୁ ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି। ତେବେ ମଙ୍ଗଳବାର ପୂର୍ବାହ୍ନରେ ଜିଲା ବିଜେଡିର ଏକ ପ୍ରତିନିଧି ଦଳ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରିବାକୁ ଆସିଥିବାବେଳେ ଜିଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପଡିଥିବା ଦେଖି ପୋଲିସ ସହିତ ମୁହାଁମୁହିଁ ହୋଇଥିଲେ। ବହୁ ଯୁକ୍ତିତର୍କ ହେବା ପରେ ତାଲା ଖୋଲାଯାଇଥିଲା। ବିଜେଡିର ଜିଲା ସଭାପତି ସୁଶାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ବରିଷ୍ଠ ନେତା ଗୌରହରି ମିଶ୍ର, ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ। ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ବିଫଳତା ଏବଂ ଚାଷୀଙ୍କ ପ୍ରତି ପୋଲିସ ପ୍ରଶାସନର ବ୍ୟବହାରକୁ ନିନ୍ଦା କରିବା ସହିତ ଚାଷୀଙ୍କ ସ୍ବାର୍ଥ ପାଇଁ ଆଗକୁ ମଧ୍ୟ ଲଢେଇ ଜାରି ରହିବ ବୋଲି ବିଜେଡି ନେତୃବୃନ୍ଦ କହିଥିଲେ।