୨୪ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ହାଡ଼ଭଙ୍ଗା ଶୀତ: ଏହି ସବୁ ଜିଲାକୁ ଶୀତ ଲହରି ଆଲର୍ଟ

ଭୁବନେଶ୍ୱର,୧୮ା୧୧(ବନ୍ଦନା ସେଠୀ): ସମଗ୍ର ରାଜ୍ୟରେ ଏବେ ଶୀତର ପ୍ରକୋପ ଜାରି ରହିଥିବାବେଳେ ଭୁବନେଶ୍ୱରରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ରବିବାର ଭୁବନେଶ୍ୱରର ସର୍ବନିମ୍ନ ରାତି ତାପମାତ୍ରା ୧୨.୯ ଡିଗ୍ରୀ ସେଲ୍‌ସିୟସ ରେକର୍ଡ ହୋଇଥିବାବେଳେ ଏହା ଗତ ୨୫ ବର୍ଷର ରେକର୍ଡ ଭାଙ୍ଗିଛି। ରବିବାର ରାତି ନଭେମ୍ବର ମାସର ସବୁଠାରୁ ଥଣ୍ଡା ରାତି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଗାମୀ ୨୪ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିବ। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୀତ ଲହରି ଆଲର୍ଟ ଜାରି ହୋଇଛି। ଖୋର୍ଦ୍ଧା, କନ୍ଧମାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ର କିଛି କିଛି ଅଞ୍ଚଳରେ ଶୀତ ପାଇଁ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି ହୋଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟର ୫ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି। କନ୍ଧମାଳ ଜିଲାର ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରୀ ସେଲ୍‌ସିୟସ ରହିଥିବାବେଳେ, ସେମିଳିଗୁଡ଼ାରେ ୬.୧, ଦାରିଙ୍ଗବାଡ଼ିରେ ୭, ଫୁଲବାଣୀରେ ୮ ଏବଂ ଝାରସୁଗୁଡ଼ାରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଅନୁଗୋଳରେ ୧୦.୨, ଚିପିଲିମାରେ ୧୦.୨, କୋରାପୁଟରେ ୧୦.୮, କେନ୍ଦୁଝର, କିରେଇ ଏବଂ ଭବାନୀପାଟଣାରେ ୧୧, ନବରଙ୍ଗପୁରରେ ୧୧.୫, ସୁନ୍ଦରଗଡ଼ରେ ୧୧.୮ ଏବଂ କଟକରେ ୧୩.୨ ଡିଗ୍ରୀ ରେକର୍ଡ କରାଯାଇଛି।

 

Dharitri – The Largest & Most Trusted Odia Daily