ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା ସମ୍ପୂର୍ଣ୍ଣ ପୋତି ହୋଇ ଗଲାଣି, ଯଦ୍ଦ୍ବାରା ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ପ୍ରାଧିକରଣ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ୫ ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ ହୋଇପଡ଼ିଛି। ବିରୂପା ନଦୀ କଟକ ଜିଲା ଜଗତପୁରଠାରୁ ବାହାରି ଯାଜପୁର ଜିଲା ଦେଇ କେନ୍ଦ୍ରାପଡ଼ା ଜିଲାର ଇନ୍ଦୁପୁରଠାରେ ବ୍ରାହ୍ମଣୀ ନଦୀରେ ମିଶିଛି। ଏହି ନଦୀ ଜଗତପୁରଠାରୁ ଇନ୍ଦୁପୁର ମଧ୍ୟରେ ୫୫ କି.ମି. ଲମ୍ବ ରହିଛି। ଏଥିରେ ଯାଜପୁର ଜିଲା ବଡ଼ଚଣା ବ୍ଲକରେ ୧୪ କି.ମି. ପ୍ରବାହିତ ହୋଇଛି। ସେହିଭଳି ଗେଙ୍ଗୁଟି ନଦୀ ହେଉଛି ବିରୂପାର ଶାଖାନଦୀ। ଏହା କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ବାଜପୁରାଠାରୁ ବାହାରି ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିଆଠାରେ କେଲୁଅ ନଦୀରେ ମିଶିଛି। ଏହାର ଲମ୍ବ ପାଖାପାଖି ୩୦ କି.ମି. ରହିଛି। ତେବେ ଏହି ନଦୀ ଦୁଇଟିର ଶଯ୍ୟା ପୋତି ହୋଇ ବିରାଟ ବିରାଟ କୁଦ ସୃଷ୍ଟି ହୋଇଗଲାଣି। ନଦୀ ଗର୍ଭ ପୋତି ହୋଇ ଯିବାଦ୍ୱାରା ଚାଷ କାର୍ଯ୍ୟ ପ୍ରଭାବିତ ହେଉଛି।
ଚାଷଜମିକୁ ପାଣି ଯୋଗାଇବା ଚାଷୀ ପକ୍ଷେ ସମ୍ଭବ ହେଉନାହିଁ। ପୂର୍ବରୁ ଏହି ନଦୀକୂଳ ଜମିଗୁଡ଼ିକରେ ବର୍ଷକ ବାରମାସ ବିଭିନ୍ନ ପ୍ରକାରର ଫସଲ ଅମଳ ହେଉଥିବାବେଳେ ଏବେ ନଦୀ ଉଭୟ ପାର୍ଶ୍ୱ ଜମିପଡିଆ ପଡୁଛି। ନଦୀ ଗର୍ଭ ପୋତି ହେବାଦ୍ୱାରା ପୂର୍ବରୁ ଏହାକୁଳରେ ବସିଥିବା ପାନୀୟଜଳ ଯୋଗାଣ ପ୍ରକଳ୍ପଗୁଡିକ ଅଚଳ ଅବସ୍ଥାରେ ପଡ଼ିରହିଛି। ସେହିଭଳି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଗୁଡିକ ମଧ୍ୟ ଅଚଳ ହୋଇଯାଇଛି। ଇନଲାଣ୍ଡ ୱାଟର ୱେ ଅଥରିଟି ଅଫ ଇଣ୍ଡିଆ(ଆଇଡବ୍ଲ୍ୟୁଏଆଇ) ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ ଦ୍ୱାରା ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ନଦୀରେ ଜଳପଥ ନିର୍ମାଣ ନେଇ ଗାଇଡ ଲାଇନ ପ୍ରସ୍ତୁତ ହୋଇଛି। ସେଥିପାଇଁ ଗତ ଡିସେମ୍ବରରେ ଏହି ନଦୀରେ ନିର୍ମାଣାଧୀନ ସେତୁର ଉଚ୍ଚତା ବୃଦ୍ଧି ନେଇ ଜଳପଥ ପ୍ରାଧିକରଣ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ରିପୋର୍ଟ ଦେବାକୁ ଅନୁରୋଧ କରିଥିଲା। ଏହି ନଦୀ ଗୁଡିକରେ ଜଳପଥ ଦେଇ ବୋଟ, ମୋଟର ଲଞ୍ଚ ଓ ବଡ଼ବଡ଼ ଡଙ୍ଗା ସାହାଯ୍ୟରେ ଯାତାୟାତ ସହ ସାମଗ୍ରୀ ପରିବହନ କରାଯିବ। ପୂର୍ବରୁ ଏହି ନଦୀର ଓସାର ୫୦୦ମିଟରରୁ ଅଧିକ ଥିବାବେଳେ ଏବେ ଏହା ୫୦ ମିଟରରେ ସୀମିତ ହୋଇଯାଇଛି। ଏପରିକି ଗ୍ରୀଷ୍ମ ଋତୁରେ ଜଳ ପ୍ରବାହ ମଧ୍ୟ ବନ୍ଦ ହୋଇଗଲାଣି।

Dharitri – Odisha’s No.1 Odia Daily

Share
Tags: Birupa River