କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ ଶିଶୁପୁତ୍ର ଜିମା ନେବାରୁ ବଞ୍ଚିତ କରାଯାଇ ପାରିବ ନାହିଁ। ହାଇକୋର୍ଟର ବିଚାରପତି ସଞ୍ଜୟ କୁମାର ମିଶ୍ର ଏ ସଂକ୍ରାନ୍ତୀୟ ମାମଲାର ବିଚାର କରି ଅଜା ଶିଶୁପୁତ୍ର ହସ୍ତାନ୍ତର କରିବାକୁ ରାୟ ପ୍ରଦାନ କରିଛନ୍ତି। ଏଥିସହ ସ୍ତ୍ରୀଙ୍କ ମୃତ୍ୟୁ ସାର୍ଟିଫିକେଟ ଓ ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବାରୁ ଶିଶୁପୁତ୍ରର ଜିମା ପାଇବା ପାଇଁ ବାପା ଦାଏର କରିଥିବା ଆବେଦନକୁ ଖାରଜ କରି ଭଦ୍ରକ ପରିବାର ଅଦାଲତ ୨୦୨୨ ଜୁଲାଇ ୭ରେ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ ଖାରଜ କରିଛନ୍ତି। ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ଯଦି ଆବେଦନକାରୀଙ୍କୁ ଶିଶୁର ଜିମା ଦିଆ ନ ଯାଏ, ତେବେ ଉଭୟ ବାପା-ପୁଅ ପରସ୍ପରର ସ୍ନେହ ମମତାରୁ ବଞ୍ଚିତ ହେବେ। ମା’ଙ୍କ ମୃତ୍ୟୁ ହେବା ବେଳେ ଶିଶୁ ଅତି ଛୋଟ ଥିଲା ଓ ଏବେ ତାକୁ ସାଢ଼େ ୫ବର୍ଷ ବୟସ। ଏଭଳି ସ୍ଥିତିରେ ଶିଶୁର ପସନ୍ଦ ଆକଳନ କରାଯାଇ ପାରିବ ନାହିଁ। ତେଣୁ ହସ୍ତାନ୍ତର ପାଇଁ ଅଜା ତାରିଖ ଓ ସମୟ ସଂପର୍କରେ ଆବେଦନକାରୀଙ୍କୁ ଆଗୁଆ ସୂଚନା ଦେବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ରମାକାନ୍ତ ମାଝିଙ୍କ ବିବାହ ୨୦୧୯ରେ ହୋଇଥିଲା। ତାଙ୍କ ସ୍ତ୍ରୀ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ସ୍ତ୍ରୀ ଶିଶୁପୁତ୍ର ସହିତ ବାପଘରେ ଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିଦିନଠାରୁ ଶିଶୁପୁତ୍ର ଅଜାଙ୍କ ଘରେ ରହୁଥିଲା। ପୁଅର ଜିମା ପାଇଁ ଆବେଦନକାରୀ ୨୦୨୧ରେ ଭଦ୍ରକ ପରିବାର ଅଦାଲତରେ ମାମଲା ଦାୟର କରିଥିଲେ। ମାମଲାରେ ଅଜା ଦାଖଲ କରିଥିବା ଜବାବରେ ଆବେଦନକାରୀଙ୍କ ବିବାହ ଓ ଶିଶୁପୁତ୍ରର ଜନ୍ମ ପ୍ରସଙ୍ଗ ସ୍ବୀକାର କରାଯାଇଥିଲା। କିନ୍ତୁ ଆବେଦନକାରୀ ସ୍ତ୍ରୀଙ୍କ ମୃତ୍ୟୁ ସାର୍ଟିଫିକେଟ ଓ ପୁଅର ଜନ୍ମ ସାର୍ଟିଫିକେଟ ଉପସ୍ଥାପନ କରିବାରେ ବିଫଳ ହୋଇଥିଲେ। ଏହାପରେ ପରିବାର ଅଦାଲତ ଆବେଦନକାରୀଙ୍କ ଦରଖାସ୍ତକୁ ୨୦୨୨, ଜୁଲାଇ ୭ରେ ଖାରଜ କରିଥିଲେ। ଏହି ଆଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
Dharitri – The Largest & Most Trusted Odia Daily