ଚିଲିକାରେ ପକ୍ଷୀ ଗଣନା ଆଜି

ବାଲୁଗଁା,୧୮ା୧(ସଂଗ୍ରାମ ପାଇକରାୟ): ଚିଲିକା ବନ୍ୟପ୍ରାଣୀ ବିଭାଗ ବାଲୁଗଁା ଆନୁକୂଲ୍ୟରେ ରବିବାର ଚିଲିକାରେ ପକ୍ଷୀ ଗଣନା ହେବ। ଏହି ପରିପ୍ରେକ୍ଷୀରେ ଶନିବାର ବାଲୁଗଁା ନିକଟ ବଡ଼କୁଳସ୍ଥିତ ସିଡିଏ ଆର୍ଦ୍ରଭୂମି ଗବେଷଣା କେନ୍ଦ୍ର ସମ୍ମିଳନୀ କକ୍ଷରେ ଗଣନାକାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ମୋଟ ୨୨ଟି ଟିମ୍‌ରେ ସାମିଲ ହୋଇଥିବା ୧୨୦ ଜଣ ଗଣନାକାରୀ ଉକ୍ତ ଶିବିରରେ ପ୍ରଶିକ୍ଷଣ ନେଇଥିଲେ। ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକ ଏମ୍‌. ଯୋଗଜୟାନନ୍ଦ, ଡେପୁଟି ବନ୍ୟ ସଂରକ୍ଷକ ରମାପଦ ଅରବିନ୍ଦ ମିଶ୍ର, ଅବସରପ୍ରାପ୍ତ ପିସିସିଏଫ୍‌ ଅନୁପ ନାୟକ ଏବଂ ଆର୍‌ସିସିଏଫ୍‌ ପି.କେ. ମିଶ୍ର, ବମ୍ୱେ ନାଚୁରାଲ ହିଷ୍ଟ୍ରି ଅଫ୍‌ ସୋସାଇଟିର ଡେପୁଟି ଡାଇରେକ୍ଟର ଡ. ସତ୍ୟ ସାଲଭମ ଏବଂ ଡିଏଫ୍‌ଓ ଅମ୍ଳାନ୍‌ ନାୟକ ଗଣନା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ତାଲିମ ପରେ ଗଣନାକାରୀ ଟିମ୍‌ ଅପରାହ୍ନ ୪ଟାରୁ ନିର୍ଦ୍ଧାରିତ ନିଜ ନିଜ କ୍ୟାମ୍ପ୍‌ରେ ଯାଇ ଅବସ୍ଥାନ କରିଛନ୍ତି l ରବିବାର ଭୋର୍‌ ୬ଟାରୁ ଏକକାଳୀନ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ଜାରି ରହିବ। ସନ୍ଧ୍ୟା ସୁଦ୍ଧା ସମସ୍ତ ଟିମ୍‌ ପହଞ୍ଚିବା ପରେ ସ୍ଥାନୀୟ ଓ ବିଦେଶୀ ପକ୍ଷୀ ଏବଂ ପ୍ରଜାତି ସଂଖ୍ୟା ନିର୍ଣ୍ଣୟ କରାଯାଇ ବିଭାଗ ପକ୍ଷରୁ ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇବ ବୋଲି ଡିଏଫ୍‌ଓ ଅମ୍ଳାନ୍‌ ନାୟକ କହିଛନ୍ତି।
ଚିଲିକାରେ ‘ଇରାଓ୍ୱାଡି’ ପ୍ରଜାତିର ଡଲ୍‌ଫିନ୍‌ ଗଣନା ଆସନ୍ତା ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ହେବ। ଏଥିରେ ୧୮ଟି ଟିମ୍‌ ସାମିଲ ହେବେ। ୧୯ତାରିଖରେ ତାଲିମ ପ୍ରଦାନ ପରେ ସାତପଡ଼ାଠାରେ ୮ଟି ଟିମ୍‌ ଏବଂ ବାଲୁଗଁା ନିକଟସ୍ଥ ଚିଲିକାରେ ୧୦ଟି ଟିମ୍‌ ରହି ଗଣନା କରିବେ। ଏହାର ଚୂଡ଼ାନ୍ତ ରିପୋର୍ଟ ପିସିସିଏଫ୍‌ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇବ।