ଭବାନୀପାଟଣା,୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଟାଉନରେ ରାତିରେ ବିଦ୍ୟୁତ୍ ଗଲେ ମରାମତି କରା ଯାଉ ନ ଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଉପଭୋକ୍ତା ବିଭାଗୀୟ କଷ୍ଟମର କେୟାର ନଂ ୧୯୧୨କୁ ଅଭିଯୋଗ ଦେଲେ ମଧ୍ୟ ଏହାର ସମାଧାନ କରାଯାଉନାହିଁ। ଯାହାଫଳରେ ଦାୟିତ୍ୱରେ ଥିବା ଟିପିଡବ୍ଲୁଓଡିଏଲ ଆଦାୟରେ ଆଗୁଆ ସେବାରେ ପଛୁଆ ବୋଲି ସାଧାରଣରେ ଆଲୋଚନା ହେଉଛି। ବିଭାଗୀୟ ଯନ୍ତ୍ରୀ, ଏସ୍ଡିଓଙ୍କୁ ଉପଭୋକ୍ତା ନିଜ ସମସ୍ୟା ପାଇଁ ବାରମ୍ବାର ଫୋନ୍ କଲେ ମଧ୍ୟ ଉଠାଉ ନାହାନ୍ତି। ଠିକ୍ ସମୟରେ ବିଦ୍ୟୁତ୍ ବିଲ୍ ଦେଇ ମଧ୍ୟ ଉପଭୋକ୍ତାଙ୍କୁ ଶେଷରେ ଅନ୍ଧାରରେ ରହିବାକୁ ପଡ଼େ। ତେବେ ରାତିରେ ଗାଡି ନ ଥିବାରୁ କର୍ମଚାରୀ ଏହାର ସମାଧାନ କରି ପାରୁ ନାହାନ୍ତି ବୋଲି ଟାଉନ ଯନ୍ତ୍ରୀ ସଞ୍ଜୀବ ଜେନା ପ୍ରକାଶ କରନ୍ତି।
ସେହିପରି ଏସ୍ଡିଓ ବୀରେନ୍ ଗଡ଼ନାୟକଙ୍କୁ ରାତିରେ ଓ ସକାଳେ ମଧ୍ୟ ଫୋନ କଲେ ଉଠାଉ ନାହାନ୍ତି। ଟିପିଡବ୍ଲୁଓଡିଏଲ ବିଭାଗ ପକ୍ଷରୁ ଏହି ବାବୁମାନଙ୍କୁ ଉପଭୋକ୍ତାଙ୍କ ସମସ୍ୟା ଶୁଣିବା ଓ ସମାଧାନ କରିବା ପାଇଁ ନିୟୋଜିତ କରାଯାଇଥିବାବେଳେ ସମାଧାନ କରିବା ତ ଦୂରର କଥା ସମସ୍ୟା ଶୁଣୁନାହାନ୍ତି କି ଫୋନ୍ ଉଠାଉ ନାହାନ୍ତି। ଯାହାଫଳରେ ଟିପିଡବ୍ଲୁଓଡିଏଲ ପ୍ରତି ଲୋକଙ୍କ ଭରସା ଉଠିବାରେ ଲାଗିଛି। ଏଥିପ୍ରତି ଟିପିଡବ୍ଲୁଓଡିଏଲ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।