ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଅଚଳ ଜେସିବି ମେସିନକୁ ବାଇକ ଧକ୍କା ଦେବା ଫଳରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।
ଗୁରୁବାର ରାତି ପ୍ରାୟ ୯ଟା ସମୟରେ ଗାଲଗାଡ଼ା ବାଟ ମଙ୍ଗଳା ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଅଚଳ ଜେସିବି ମେସିନକୁ ଏକ ବାଇକ ଆରୋହୀ ଧକ୍କା ଦେଇଥିଲେ। ଗୁରୁତର ଯୁବକ ଜଣକ ହେଉଛନ୍ତି ମାଳିବେଲଗାଁ ପଞ୍ଚାୟତର ଗୋପୀନାଥ ହନ୍ତାଳ (୨୧)।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ନନ୍ଦପୁର ଥାନାଧିକାରୀ ତ୍ରିନାଥ ତୋଟାପାଡିଆ, ଏସଆଇ ପ୍ରତ୍ୟୁଷ ପଟେଲ ଓ ତାଙ୍କ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଟିମ ଗୁରୁତର ଗୋପୀନାଥଙ୍କୁ ଉଦ୍ଧାର କରି ପ୍ରଥମେ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଯୁବକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ତୁରନ୍ତ କୋରାପୁଟ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ମାତ୍ର ସେହି ସମୟରେ ୧୦୮ ଆମ୍ବୁଲାନ୍ସ ଉପଲବ୍ଧ ନଥିଲା। ଶେଷରେ ଯୁବକଙ୍କ ଜୀବନ ବଞ୍ଚାଇବା ପାଇଁ ପୋଲିସ ନିଜ ଗାଡ଼ିକୁ ଆମ୍ବୁଲାନ୍ସ ଭାବେ ବ୍ୟବହାର କରିଥିଲା। ପୋଲିସ ଗାଡ଼ିରେ ଅକ୍ସିଜେନ ଓ ସଲାଇନ ଲଗାଯାଇ ପୋଲିସ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ସୂଚନା ଦିଆଯାଇଛି।