ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): ଗୋଟିଏ କି ଦୁଇଟି ନୁହେଁ ମାସକ ମଧ୍ୟରେ ୫ରୁ ଊର୍ଦ୍ଧ୍ୱ ବାଇକ୍ ଚୋରି ହୋଇଥିବା ବେଳେ ଗୋଟିଏ ସପ୍ତାହରେ ୪ଟି ବାଇକ୍କୁ ଦୁର୍ବୃତ୍ତମାନେ ଚୋରି କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି। ହେଲେ ଏ ପର୍ଯ୍ୟନ୍ତ ପୋଲିସ ଗୋଟିଏ ବି ମାମଲାର ସମାଧାନ କରିପାରି ନ ଥିବା ଓ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ହେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ।
ପ୍ରକାଶ ଯେ, ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ବ୍ଲକ୍ କଲୋନୀ ଭିତରେ ପ୍ରବେଶ କରି ଏକ ବୁଲେଟ୍ ନଂ (ଓଡି -୨୫ ପି-୭୩୧୦)କୁ ଚୋରି କରିଥିବା ନେଇ ବୁଲେଟ୍ର ମାଲିକ ସୁବ୍ରତ କୁମାର ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିଥିବା ସେ କହିଛନ୍ତି। ସେ ସରକାରୀ କ୍ୱାର୍ଟର ବାହାରେ ରଖିଥିବା ବେଳେ ଏହି ଚୋରି ଯାଇଥିବା କହିଛନ୍ତି। ପ୍ରତିଦିନ ରାତିରେ ଏଭଳି ଦାରିଙ୍ଗବାଡ଼ି ଓ ସିମନବାଡ଼ିରେ ଚୋରି ହେଉଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କୁ ଧରିବାରେ ହାତ ବାନ୍ଧି ବସିଛି। ଏଥିପାଇଁ ଅଞ୍ଚଳରେ ଜନଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନକୁ ନେଇ ଲୋକଙ୍କ ମଧ୍ୟରେ ପୋଲିସର ଦକ୍ଷତା ପ୍ରତି ଅଙ୍ଗୁଳି ଉଠିଛି। ଏହି ଚୋରିରେ ଏକ ବଡ଼ ରାକେଟ କାମ କରୁଥାଇ ପାରେ ବୋଲି ଅଞ୍ଚଳବାସୀ ଆଶଙ୍କା କରିଛନ୍ତି। ତୁରନ୍ତ ବାଇକ୍ ଚୋରି କରୁଥିବା ଦୁର୍ବୃତ୍ତଙ୍କୁ ଧରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


