କୋକସରା,୧୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ବୁଧବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ସ୍ଥିତ ଦାସ କଲୋନୀ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗ୍ରାମରକ୍ଷୀଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଯୁବକ (ଯବାନ) ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ (୫୩), ଗ୍ରାମରକ୍ଷୀ (ଝରିଆଗୁଡା ଗ୍ରାମ)। ସେହିଭଳି ଗୁପ୍ତେଶ୍ୱର ନାଏକ (୨୬), (ଆଟିଗାଁ କାନ୍ଦୁଲଗୁଡ଼ା) ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଝରିଆଗୁଡା ଗ୍ରାମର ଗ୍ରାମରକ୍ଷୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ବୁଧବାର କୋକସରା ଥାନାକୁ ଡ୍ୟୁଟି ପାଇଁ ଆସିଥିଲେ। ଥାନାରୁ ଫେରିବା ସମୟରେ ସ୍ଥାନୀୟ ପେଟ୍ରୋଲ ପମ୍ପରୁ ତେଲ ପକାଇ ସେ ବାହାରୁଥିବା ବେଳେ କୋକସରା ପଟୁ ଆସୁଥିବା ଗୁପ୍ତେଶ୍ୱର ନାଏକଙ୍କ ବାଇକ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଉଭୟ ବାଇକ ଆରୋହୀ ଛିଟିକି ପଡ଼ି ରକ୍ତାକ୍ତ ହୋଇଯାଇଥିଲେ।
ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ କୋକସରା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ଗୋବିନ୍ଦ ପାଣିଗ୍ରାହୀଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଗୁପ୍ତେଶ୍ୱରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଘଟଣାସ୍ଥଳରେ କୋକସରା ଥାନା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାକୁ ନେଇ କୋକସରା ପୋଲିସ ଏକ ମାମଲା ରୁଜୁ କରି ଅଧିକ ଛାନଭିନ ଜାରି ରଖିଛି।
Dharitri – Odisha’s No.1 Odia Daily