କୋକସରା,୨୪।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ସୁନାମାଲ ଗାଁ ଭାଲୁପଡା ନିକଟରେ ଘଟିଥିବା ବାଇକ ଦୁର୍ଘଟଣାରେ ଜଣେ ଅବକାରୀ କର୍ମଚାରୀ ସହିତ ଅନ୍ୟ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକମାନେ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡଙ୍ଗରୀ ଗ୍ରାମର ଅବକାରୀ କର୍ମଚାରୀ ଅମରେନ୍ଦ୍ର ମାଝି (୨୯) ଓ ସୁବାସ ନାଏକ (୨୫) ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ବାଇକ ଯୋଗେ ଶୁକ୍ରବାର ରାତିରେ ସୁନାମାଲ ଗ୍ରାମରୁ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ଗାଁକୁ ଫେରୁଥିବା ସମୟରେ ଭାଲୁପଡା ନିକଟରେ ଭାରସାମ୍ୟ ହରାଇ ତାଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ବାଇକ ଚୁରମାର ହୋଇଥିବା ବେଳେ ସେମାନେ ଚାଷ ଜମିକୁ ଛିଟିକି ପଡିଥିଲେ। ବିଳମ୍ବିତ ରାତି ହେଇ ଥିବାରୁ ଦୁର୍ଘଟଣା ବିଷୟରେ କେହି ସୂଚନା ପାଇ ନ ଥିଲେ। ଶନିବାର ସକାଳୁ ସ୍ଥାନୀୟ ଲୋକେ ଦେଖି କୋକସରା ପୋଲିସକୁ ଖବର ଦେଇଥିଲେ। ପୋଲିସ ପ୍ରାଥମିକ ତଦନ୍ତ ପରେ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଜବତ କରି କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ପରେ ବ୍ୟବଚ୍ଛେଦ କରାଯାଇ ପରିବାରଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଏନେଇ କୋକସରା ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ ହେଇ ତଦନ୍ତ ଜାରି ରହିଥିବା ଥାନା ପକ୍ଷରୁ ସୂଚନା ମିଳିଛି। ଅମରେନ୍ଦ୍ର ଜଣେ ଅବକାରୀ କର୍ମଚାରୀ ହୋଇଥିବାରୁ ତାଙ୍କ ମୃତ୍ୟୁ ଖବର ପାଇ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ପହଞ୍ଚି ଶେଷ ସମ୍ମାନ ପୂର୍ବକ ଗାର୍ଡ ଅଫ୍ ଅନର୍ ଦେଇଥିଲେ।