ପାଟଣାଗଡ଼,୧୭।୪ (ସଚ୍ଚିଦାନନ୍ଦ ମହାକୁର): ମଙ୍ଗଳବାର ସକାଳୁ ପାଟଣାଗଡ଼ ବ୍ରହ୍ମପୁରା ବ୍ଳକ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଜଣେ ଯୁବକ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣା ପ୍ରଘଟ ହେବାପରେ ରାଜବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାକୁ ନେଇ ବିଜୁ ଜନତା ଦଳ ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ ମଧ୍ୟ କରାଯାଇଥିଲା । ଏନେଇ ପାଟଣାଗଡ଼ ପୂର୍ବତନ ବିଧାୟକ ସରୋଜ ମେହେରଙ୍କ ନେତୃତ୍ୱରେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପରେ ପାଟଣାଗଡ଼ ପୋଲିସ ଉକ୍ତ ଘଟଣାରେ ବଥର୍ଲା ଗାଁର ଯୁଗଳ କୁମାର ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।
ସୂଚନାନୁସାରେ, ନିଆଁ ଲଗାଇବା ସମୟରେ ଛକ ନିକଟରେ କେହି ଜଣେ ଘଟଣାର ଭିଡିଓ ଉତ୍ତୋଳନ କରିଥିଲା I ପରେ ଉକ୍ତ ଭିଡିଓ ଭାଇରାଲ ହୋଇଥିଲା। ତେବେ, ଭିଡିଓ ଉତ୍ତୋଳନ କରିବାର ଉଦ୍ଦେଶ୍ୟ କଣ ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣା ପଛରେ ଅନ୍ୟମାନଙ୍କ ସମ୍ପୃକ୍ତି ରହିଛି । ହେଲେ ପେଲିସ ସେ ଦିଗରେ ତଦନ୍ତ ନକରି ତରବରିଆ ଭାବରେ ଯୁବକକୁ ଗିରଫ କରିଛି ବୋଲି ଆଲୋଚନା ଜୋର ଧରିଛି । ଅପରପକ୍ଷରେ ପ୍ରତିମୂର୍ତ୍ତି ଥିବା ଆଖପାଖ ସ୍ଥାନରେ ଅପରାଧ ରୋକିବା ପାଇଁ ପ୍ରଶାସନ ତରଫରୁ କିଛିଦିନ ତଳେ ସିସି ଟିଭି କ୍ୟାମେରା ଲଗାଯାଇଥିଲା । କିନ୍ତୁ ପୋଲିସ ଏ ପର୍ଯ୍ୟନ୍ତ କାହିଁକି ସିସିଟିଭି ଯାଞ୍ଚ କରିନାହିଁ ବୋଲି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ତେଣୁ ପୋଲିସ ଏଦିଗରେ ତଦନ୍ତ କରିବାକୁ ଦାବି ହେଉଛି ।


