ଭୁବନେଶ୍ୱର,୨୭ା୭(ସୁନିତ୍ ମିଶ୍ର): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ଦ୍ୱାରା ସରକାର ବିରୋଧରେ ପ୍ରସ୍ତାବିତ ଅନାସ୍ଥା ବିଷୟ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ବିଜେଡି ଏ ନେଇ କ’ଣ ନିଷ୍ପତ୍ତି ନେବ, ତାହାକୁ ନେଇ ରାଜ୍ୟ ରାଜନୀତି ସରଗରମ। ବିଶେଷକରି ଭକ୍ତଙ୍କ ଏହି ବାଣ ପରେ ବିଜେଡି ଭିତରେ ଅନାସ୍ଥାକୁ ନେଇ ପ୍ରବଳ ଆଲୋଚନା ଆରମ୍ଭ ହୋଇଯାଇଛି। ଯଦି ଦଳ କଂଗ୍ରେସର ଏହି ଆହ୍ବାନକୁ ଗ୍ରହଣ ନ କରୁଛି ତେବେ ବିଜେଡି ଓ ଭାଜପା ଭିତରେ ମଧୁର ସମ୍ପର୍କ ଥିବା ବୁଝପଡ଼ିବ। ଏହି କଥାକୁ ନେଇ ବିଜେଡି ଭିତରେ ବହୁ ମାତ୍ରାରେ ଚର୍ଚ୍ଚା ଚାଲୁଛି। ବିଜେଡି ଏହି କଥାରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ତାଙ୍କ ଦଳର ଅନେକ ନେତା ଇଚ୍ଛା କରୁଛନ୍ତି। ଭକ୍ତ ଏହି କଥା ଉଠାଇବା ପରେ ଗଣମାଧ୍ୟମ ଆଗରେ ବିଜେଡି ପକ୍ଷରୁ ଦେବୀପ୍ରସାଦ ମିଶ୍ର ପ୍ରତିକ୍ରିୟା ରଖି କହିଲେ, ବିଧାନସଭା ଅଧିବେଶନ ଘୋଷଣା ହେବା ପରେ ନିଷ୍ପତ୍ତି ହେବ। ଏହି କଥା ଉପରେ ସେ କୌଣସି ଷ୍ଟାଣ୍ଡ କ୍ଲିୟର କଲେ ନାହିଁ। ଫଳରେ ଦଳର ଅନ୍ୟ ନେତାମାନଙ୍କଠାରୁ ଅନାସ୍ଥା ଉପରେ ମତାମତ ନେବା ଲାଗି ଯେଉଁ ଯୋଗାଯୋଗ କରାଯାଇଥିଲା ବହୁ ଜଣ କହିଥିଲେ, ଦେବୀ ମିଶ୍ର ଗଣମାଧ୍ୟମକୁ ଯାହା କହିଥିଲେ ସେଥିରେ ଦଳ ଏକଥାରେ ପଛଘୁଞ୍ଚା ଦେଇଥିବା ବୁଝିଯିବା କଥା। ତେଣୁ ଏ ପ୍ରସଙ୍ଗରେ ମୁହଁ ଖୋଲିବାକୁ ମନା କରିଦେଲେ। ହେଲେ ଦଳ ଭିତରେ ଏହି କଥାରେ ବିଜେଡି ନିଜର ଷ୍ଟାଣ୍ଡ କ୍ଲିୟର କରୁ ବୋଲି ଦାବି ଉଠିଛି। ଶନିବାର ଶଙ୍ଖ ଭବନଠାରେ ୮ ଜଣ ବରିଷ୍ଠ ନେତାଙ୍କୁ ନେଇ ଏକ ବୈଠକ ବସିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଏଥିରେ ବରିଷ୍ଠ ନେତା ଦେବୀ ମିଶ୍ର, ପ୍ରତାପ ଦେବ, ପ୍ରତାପ ଜେନା, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ କୁମାର ଦାସବର୍ମା, ଅତନୁ ସବ୍ୟସଚୀ ନାୟକ, ଅରୁଣ କୁମାର ସାହୁ ଏବଂ ପ୍ରମିଳା ମଲ୍ଲିକ ରହିଥିଲେ। ବୈଠକରେ କେତେକ ବିଷୟରେ ଆଲୋଚନା ହୋଇଥିବା ବେଳେ ଅନାସ୍ଥା କଥା ମଧ୍ୟ ଉଠିଥିଲା। ଅନାସ୍ଥା ବିଷୟ ବିଧାନସଭାରେ ନ ଆଣିବା ଛଡ଼ା ବାଟ କ’ଣ ରହିଛି ବୋଲି ଆଲୋଚନାର ସାରାଂଶ ଥିଲା ବୋଲି ବିଶେଷ ସୂତ୍ରରୁ ଜଣାପ଼ଡିଛି। ତେବେ ଅନାସ୍ଥାକୁ ସମର୍ଥନ କରିବା ଲାଗି ନବୀନଙ୍କ ଅନୁଗତ ଭି.କେ. ପାଣ୍ଡିଆନ୍ଙ୍କ ନିକଟକୁ ବାର୍ତ୍ତା ପଠାଇବା ଏବଂ ଏହା ଉପରେ ସହମତି ଆଣିବା ପାଇଁ ଆଲୋଚନା ହୋଇଥିବା ଶୁଣିବାକୁ ମଧ୍ୟ ମିଳିଛି। ଅନାସ୍ଥା ପ୍ରସଙ୍ଗରେ ଦଳର ସଭାପତି ନବୀନ ପଟ୍ଟନାୟକ କିପରି ରଣନୀତି ଆପଣାଇବେ ଏଥର ଦେଖାଯିବ ବୋଲି ଦଳର କେତେଜଣ ବରିଷ୍ଠ ନେତା ଚର୍ଚ୍ଚା ମଧ୍ୟ କରୁଛନ୍ତି। ସେଥିଲାଗି କେତେଜଣ ଦଳୀୟ ନେତା ଏହି କଥା ଉପରେ ଗଣ୍ଠି ପକାଇବା ଆରମ୍ଭ କରିଦେଇଛନ୍ତି। ଅନାସ୍ଥା ଯଦି ନ ଆଣନ୍ତି ଏବଂ ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ କଥାରେ ଦଳର ଆଭିମୁଖ୍ୟ କ’ଣ ହେବ ସେକଥାକୁ ମଧ୍ୟ ଜଗିଲେଣି।
ଏପରି ସ୍ଥିତିରେ ଅନାସ୍ଥା ବିଷୟକୁ ନେଇ ବରିଷ୍ଠ ନେତା ଅରୁଣ ସାହୁ ଗଣମାଧ୍ୟମକୁ କହିଛନ୍ତି, ଭାଜପା ପକ୍ଷରୁ ଯେଉଁ ଚ୍ୟାଲେଞ୍ଜ କରାଯାଉଛି ବିରୋଧୀ ଅନାସ୍ଥା ଆଣନ୍ତୁ ତା’ପରେ ସେମାନେ ଦେଖିବେ। ଏହା ସେମାନଙ୍କ ଫମ୍ପା ଦମ୍ଭୋକ୍ତି। ସେମାନେ ଆଗେ ବିଧାନସଭା ଡକାନ୍ତୁ, ସେଠି ଦେଖାଦେଖି ହେବ। ସମସ୍ତେ ଜାଣିରଖିବା ଦରକାର, ବର୍ଷକୁ ବିଧାନସଭାରେ ୩ଟି ଅଧିବେଶନ ହୁଏ। ବର୍ଷାଦିନରେ ଏକ ଅଳ୍ପଦିନିଆ ଅଧିବେଶନ ବସେ ଯାହା ଅଗଷ୍ଟ ପ୍ରଥମ ସପ୍ତାହରୁ ବସିଥାଏ। ତାହା ଏପର୍ଯ୍ୟନ୍ତ କଲେନାହିଁ। ଶୁଣିବାକୁ ମିଳୁଛି ଭାଜପା ସରକାର ଏଥର ସେପ୍ଟେମ୍ବର ମାସରେ ଡାକିବେ ବୋଲି ଚିନ୍ତା କରିଛନ୍ତି। ଗୋପାଳପୁରର ଛାତ୍ରୀ ଗଣବଳାତ୍କାର, ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣା ଭଳି ରାଜ୍ୟରେ ଯେଉଁ ନାରୀ ନିର୍ଯାତନା ବଢ଼ିଚାଲିଛି ସେଥିନେଇ ସରକାର ସାହସ ଜୁଟାଇ ପାରୁନାହାନ୍ତି। ଏମାନଙ୍କ ବର୍ଷ ଏକ ବିଫଳତା ଅନେକ। ଏମାନେ ବିଧାନସଭା ଡାକନ୍ତୁ ଏମାନଙ୍କ ଆସ୍ଥା, ଅନାସ୍ଥା, ଅବସ୍ଥା ଏବଂ ବ୍ୟବସ୍ଥା ସବୁ ଆଲୋଚନା ହେବ। ରାଜ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ ରାଜ୍ୟର ପ୍ରକୃତ ଅନାସ୍ଥା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ରାଜନୈତିକ ମହଲରେ ଚାଲିଥିବା ଚର୍ଚ୍ଚା ମୁତାବକ ବିଜେଡିର ବହୁ ନେତା ଏବେ କହୁଛନ୍ତି କଂଗ୍ରେସକୁ ରାଜ୍ୟରୁ ସଫାକରି ଭାଜପା ସହ ସଲାସୁତୁରା ଯୋଗୁ ବିଜେଡିର ଏବେ ଏହି ଅବସ୍ଥା। ବିଜେଡିକୁ ଅକ୍ତିଆର କରିଥିବା କେତେଜଣଙ୍କ ଭୁଲ୍ ରାଜନୈତିକ ଗୋଟିଚାଳନା ଏବଂ ନିହିତ ସ୍ବାର୍ଥ ଲାଗି ଭାଜପା ରାଜ୍ୟରେ ସରକାର କରିଛି। ଏବର ସ୍ଥିତିରେ ଯଦି ଭାଜପା ସପକ୍ଷରେ ଯିବାଭଳି କୌଣସି ନିଷ୍ପତ୍ତି ବିଜେଡିକୁ ଅକ୍ତିଆର କରିଥିବା ବ୍ୟକ୍ତି ନିଅନ୍ତି, ତେବେ କର୍ମୀଙ୍କ ଯେଉଁ ଚାପ ଦଳ ଉପରେ ବଢ଼ିଛି ତାହା ଉଗ୍ରରୂପ ନେଇପାରେ।