କୋରାପୁଟ/ନନ୍ଦପୁର/ପାଡୁଆ,୨୬।୨(ଅମିତାଭ ବେହେରା/ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ପୋଲିସ ଜିଲାରେ ଚାଲୁଥିବା ଏକ ଆନ୍ତରାଜ୍ୟ ହାଶିଶ ତେଲ ତିଆରି କାରଖାନାକୁ ଧ୍ୱଂସ କରି ଐତିହାସିକ ସଫଳତା ହାସଲ କରିଛି। ଏହି ଅଭିଯାନରେ ୧୮୦୦ ଲିଟରରୁ ଅଧିକ ହାଶିଶ ତେଲ ଜବତ କରାଯାଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା ବୋଲି ଜଣାପଡ଼ିଛି। ଏହାସହିତ ୧୦୦୦ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ମଧ୍ୟ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା। ଅଭିଯାନ ସମୟରେ ଅସ୍ଥାୟୀ ତିଆରି ୟୁନିଟ୍ର ବିଭିନ୍ନ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଥିବା ଦକ୍ଷିଣାପଶ୍ଚିମାଞ୍ଚଳ ଡିଆଇଜି କନୱାର ବିଶାଳ ସିଂ ସୂଚନା ଦେଇଛନ୍ତି। ଏହି ଅବୈଧ କାରଖାନାଟି ପଡୁଆ ଥାନା ଅଞ୍ଚଳର ଝୋଳାପୁଟ ଜଳାଶୟ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ, ଓଡ଼ିଶା-ଆନ୍ଧ୍ର ସୀମାରେ ଚାଲୁଥିବା ବୋଲି ସୂଚନା ମିଳିଛି। କୋରାପୁଟ ଏସପି ରୋହିତ ବର୍ମାଙ୍କ ନେତୃତ୍ୱରେ ଏହି ଚଢ଼ାଉ ଯଥାର୍ଥ ଗୁପ୍ତ ସୂଚନା ଆଧାରରେ କରାଯାଇଥିଲା। ପୋଲିସ ଦଳ ରାସ୍ତା ମାର୍ଗ ପ୍ରୟୋଗ ନକରି, ନୌକା ଓ ପଦଯାତ୍ରା ମାଧ୍ୟମରେ ଗୁପ୍ତ ଭାବେ ସେହି ସ୍ଥାନରେ ପହଞ୍ଚିଥିଲେ। ଏହି ମାମଲାର ମୁଖ୍ୟ ସୂତ୍ରଧାରଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି। ହାଶିଶ ତେଲ ତିଆରିରେ ଆନ୍ତରାଜ୍ୟ ଯୋଗସୂତ୍ର ଥିବାର ପ୍ରାରମ୍ଭିକ ପ୍ରମାଣ ମିଳିଛି। ପାଡୁଆ ପୋଲିସ ଘଟଣାର ତଦନ୍ତ କରୁଛି। ଚଢ଼ାଉ ଜାରି ରହିଥିବାରୁ ଅଧିକ ସୂଚନା ପରବର୍ତ୍ତୀ ସମୟରେ ଦିଆଯିବ ବୋଲି କୋରାପୁଟ ଏସ୍ପି ରୋହିତ ବର୍ମା ସୂଚନା ଦେଇଛନ୍ତି।