ଶ୍ରୀମନ୍ଦିର ପ୍ରଶାସନର ବଡ଼ ପଦକ୍ଷେପ: ଜୈବିକ ଅମୃତ ଅନ୍ନରେ ପ୍ରସ୍ତୁତ ହେବ କୋଠଭୋଗ

ପୁରୀ,୨୩ା୬: ଚଳିତବର୍ଷ ରଥଯାତ୍ରାରେ ଜୈବିକ ଅମୃତ ଅନ୍ନରେ କୋଠଭୋଗ ପ୍ରସ୍ତୁତ ହେବ। କୋରାପୁଟର ‘ପ୍ରଗତି’ ଅନୁଷ୍ଠାନ ଅମୃତ ଅନ୍ନ ଯୋଗାଣ ସକାଶେ ସହଯୋଗର ହାତ ବଢାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ କୋରାପୁଟରୁ ୫ ପ୍ରକାର ଜୈବିକ ଚାଉଳ ପୁରୀ ଆସିଥିବା ସୁଆର ମହାସୁଆର ନିଯୋଗ ସମ୍ପାଦକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କ କୋଠଭୋଗ କେବଳ ଜୈବିକ ଚାଉଳରେ ହେବ। ଜୈବିକ ଚାଉଳରେ ପ୍ରସ୍ତୁତ ଭୋଗର ଦାମ ଅଧିକ ରହିବ ନାହିଁ। ଏପରିକି ପରବର୍ତ୍ତୀ ସମୟରେ ନୀଳାଚଳ ଭୋଗ ପାଇଁ ଏହି ଚାଉଳ ବ୍ୟବହାର ହେବ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଚଳିତ ବର୍ଷ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ବିଜେ ସମୟରେ ମହାପ୍ରଭୁଙ୍କୁ କୋଠଭୋଗରେ ଅମୃତ ଅନ୍ନ (ଜୈବିକ ଚାଉଳ) ଲାଗି ହେବ। ଏନେଇ ପୂର୍ବରୁ ଆଲୋଚନା ହୋଇଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ କୋଠଭୋଗରେ ଜୈବିକ ଚାଉଳ ଲାଗିହେବା ନେଇ ନିଷ୍ପତ୍ତି ହୋଇଛି। ବଡୁ ସୁଆର ଏବଂ ସୁଆର ମହାସୁଆର ନିଯୋଗ ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ। ସେହିପରି ସୁଆର ମହାସୁଆରଙ୍କ ପକ୍ଷରୁ ଭୋଗମଣ୍ଡପରେ ଅମୃତ ଅନ୍ନ ବ୍ୟବହାର ନେଇ ଯୋଜନା ହୋଇଛି। ମହାପ୍ରଭୁଙ୍କ ଭୋଗ ପ୍ରସ୍ତୁତିରେ ଅମୃତ ଅନ୍ନ ଉପଯୋଗ ନେଇ ପୂର୍ବରୁ ଆଲୋଚନା ହେବା ସହିତ ପରୀକ୍ଷାମୂଳକ ଭାବେ ଲାଗି ମଧ୍ୟ ହୋଇଥିଲା। ବୈଠକରେ ପ୍ରଗତି ଅନୁଷ୍ଠାନର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ।

Share