କଟକ,୧୪ା୩(ପ୍ରଭୁକଲ୍ୟାଣ ପାଲ): ଗ୍ୟାସ ଦର ବୃଦ୍ଧି ସାଙ୍ଗକୁ ଯୋଗାଣରେ କଟକଣା ଏବେ ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଛି। ଏଣିକି ବେହିସାବ ଗ୍ୟାସ ଜାଳିବା ପଡ଼ିବ ମହଙ୍ଗା। ବିଶେଷ କରି ଆଗକୁ ଆସୁଥିବା ବଡ଼ ବଡ଼ ଭୋଜିଭାତ ଏବଂ ବିବାହ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେବାକୁ ଯାଉଛି।
ସର୍ବଭାରତୀୟ ଏଲପିଜି ଗ୍ୟାସ୍ ବିତରକ ସଂଘର ଉପସଭାପତି ବିଶ୍ୱନାଥ ମୁଖାର୍ଜୀଙ୍କ ସୂଚନା ଅନୁଯାୟୀ, ନୂଆ ନିୟମ ଲାଗୁ ହେବା ପରେ ଗ୍ରାହକମାନେ ଆଉ ପୂର୍ବଭଳି ଅମାପ ଗ୍ୟାସ୍ ବ୍ୟବହାର କରିପାରିବେ ନାହିଁ। ବର୍ଷିକ ସିଲିଣ୍ଡର ସଂଖ୍ୟା ୧୫ରୁ ୧୨କୁ ହ୍ରାସ ପାଇଥିବାରୁ ଘରୋଇ ଖାଉଟିମାନେ ନିଜର ବ୍ୟବହାରକୁ ସୀମିତ ରଖିବାକୁ ବାଧ୍ୟ ହେବେ। ଏହାର ସବୁଠାରୁ ବଡ଼ ପ୍ରଭାବ ପଡ଼ିବ ସାମାଜିକ ଉତ୍ସବ ଏବଂ ବ୍ୟବସାୟିକ କ୍ଷେତ୍ର ଉପରେ। ବଜାରରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ପର୍ଯ୍ୟାପ୍ତ ଉପଲବ୍ଧତା ନ ଥିବାରୁ ବିବାହ କାର୍ଯ୍ୟ ଏବଂ ସାମୂହିକ ଭୋଜି ଆୟୋଜନ କରିବା ଏବେ କଷ୍ଟକର ହୋଇପଡ଼ିବ। ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବର୍ତ୍ତମାନର ଗ୍ୟାସ ସଙ୍କଟକୁ ଦୃଷ୍ଟିରେ ରଖି ଲୋକମାନେ ସଚେତନ ହେବା ଜରୁରୀ। ଯଦି ଗ୍ୟାସ ବ୍ୟବହାରରେ ସଂଯମତା ରକ୍ଷା କରା ନ ଯାଏ, ତେବେ ଆଗାମୀ ଦିନରେ ଏହି ସଙ୍କଟ ଆହୁରି ଜଟିଳ ରୂପ ଧାରଣ କରିବ, ଯାହା ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେବ।