ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି । ଅନେକଙ୍କୁ ପରୋକ୍ଷ ଭାବେ ସେ ଟାର୍ଗେଟ କରିଛନ୍ତି । ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, କେତେବେଳେ କଣ ଗେମ୍ ହେବ କିଛି କହି ହେବ ନାହିଁ । ଅପେକ୍ଷା କରନ୍ତୁ, ରାଜନୀତିରେ କିଛି ଅସମ୍ଭବ ନୁହେଁ । କେତେବେଳେ କଣ ହେବ କିଏ କହିବ, ସବୁ ଆଡ଼କୁ ଧ୍ୟାନ ଦେଇଛୁ ।
କେଉଁଠି କିଏ ବକ୍ତବ୍ୟ ଦେଲେ ନଜର ରଖିଛୁ। କେଉଁଠି କିଏ ଭୋଜିଭାତ କରି ମେଳି କଲେ, ତା ଉପରେ ବି ନଜର ରହିଛି । ବହୁତ କିଛି ସମୀକରଣ ୨୦୨୬ ମସିହାରେ ହେବାକୁ ଯାଉଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କହିରଖୁଛୁ କି, ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ଆସନ । ମହାରାଷ୍ଟ୍ରର ୭, ତାମିଲନାଡୁ ଓ ବିହାରର ୬, ପଶ୍ଚିମବଙ୍ଗର ୫ଟି ଆସନ ଖାଲି ହେବ -ଆସାମର ୩, ତେଲଙ୍ଗାନା, ଛତିଶଗଡ଼ ଓ ହରିୟାଣାର ୨ଟି ଆସନ ଖାଲି ହେବ । ଯଦି ଓଡ଼ିଶା କଥା ଦେଖିବା ତାହେଲେ ଓଡ଼ିଶାର ୪ଟି ଓ ହିମାଚଳ ପ୍ରଦେଶର ଗୋଟିଏ ଆସନ ଖାଲି ହେବାର ଅଛି । ଆସନ୍ତା ଏପ୍ରିଲ ୨ ତାରିଖରେ ସରୁଛି ଓଡ଼ିଶାର ୪ ସାଂସଦଙ୍କ କାର୍ଯ୍ୟକାଳ । ମୁନ୍ନା ଖାଁ, ନିରଞ୍ଜନ ବିଶି, ମମତା ମହନ୍ତ ଓ ସୁଜିତ୍ କୁମାରଙ୍କ କାର୍ଯ୍ୟକାଳ ସରିବ ।