ଭୁବନେଶ୍ୱର,୨୮।୪: ଓଡ଼ିଶାରେ ସମବାୟ ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଆଜି ଭୁବନେଶ୍ୱର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ଜମାକାରୀମାନଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ସମୁଦାୟ ୯,୫୩୭ ଜଣ ଜମାକାରୀ ୨୦ କୋଟି ୯୬ ଲକ୍ଷ ଟଙ୍କା ଫେରସ୍ତ ପାଇବାର ପ୍ରକ୍ରିୟା ଆରମ୍ଭ ହୋଇଛି।
ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅର୍ଥ ଫେରସ୍ତ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି। ଆଜି ପ୍ରଥମ ଦିନରେ ୧୧୭ ଜଣ ଜମାକାରୀଙ୍କ ୨ କୋଟି ୮୦ ଲକ୍ଷ ଟଙ୍କା ଫେରସ୍ତ କରାଗଲା। ମୁଖ୍ୟମନ୍ତ୍ରୀ ପ୍ରତିକାତ୍ମକ ଭାବେ ୯ ଜଣ ଜମାକାରୀଙ୍କୁ ଚେକ୍ ପ୍ରଦାନ କରି ଅର୍ଥ ଫେରସ୍ତ କରିଥିଲେ।
ସୂଚନାଯୋଗ୍ୟ ଯେ, ଦୀର୍ଘଦିନର ପରିଚାଳନାଗତ ତୃଟି ଯୋଗୁଁ ଭୁବନେଶ୍ୱର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ଆର୍ଥିକ ପରିସ୍ଥିତି ଖରାପ ହୋଇଯାଇଥିଲା। ୨୦୧୫ ରେ ବ୍ୟାଙ୍କ ବନ୍ଦ ହେବା ବେଳକୁ ୧୧, ୬୭୩ ଜଣ ଜମାକାରୀଙ୍କ ୩୩ କୋଟି ୮୭ ଲକ୍ଷ ଟଙ୍କା ଫେରସ୍ତ ହେବାର ଥିଲା। ଇତି ମଧ୍ୟରେ ୨୭୦୯ ଜଣ ଜମାକାରୀଙ୍କ ମୋଟ ୧୨ କୋଟି ୭୮ ଲକ୍ଷ ଟଙ୍କା ଫେରସ୍ତ କରାଯାଇଥିବା ବେଳେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଥିବା ଜମାକାରୀ ସେମାନଙ୍କ ଅର୍ଥ ଫେରସ୍ତ ପାଇ ପାରିନଥିଲେ। ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଏହି ଜମାକାରୀମାନଙ୍କର ଅର୍ଥ ଫେରସ୍ତ ପାଇଁ ନିଷ୍ପତ୍ତି ନେଇଥିଲେ।
ଏହା ସହିତ ଢେଙ୍କାନାଳ, ଛତ୍ରପୁର, ଆସ୍କା ଓ ଭଞ୍ଜନଗର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଗୁଡ଼ିକର ଜମାକାରୀଙ୍କ ଅର୍ଥ ମଧ୍ୟ ଫେରସ୍ତ କରାଯିବ। ଏହି ୪ ଟି ବ୍ୟାଙ୍କର ୧୭, ୮୫୯ ଜଣ ଜମାକାରୀଙ୍କୁ ୬ କୋଟିରୁ ଅଧିକ ଟଙ୍କା ଫେରସ୍ତ କରାଯିବ।
ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅନେକ ଅବିସ୍ମରଣୀୟ ଅବଦାନ ମଧ୍ୟରୁ ଏକ ପ୍ରମୁଖ ଅବଦାନ ଥିଲେ ଓଡ଼ିଶାରେ ସମବାୟ ଆନ୍ଦୋଳନ।
ଉତ୍କଳ ଗୌରବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ପ୍ରାୟ ୫୦ ଲକ୍ଷ ଚାଷୀ ସମବାୟ ଆନ୍ଦୋଳନ ସହିତ ଜଡ଼ିତ। ୨୦୩୬ ସୁଦ୍ଧା ରାଜ୍ୟର ସମସ୍ତ କୃଷକଙ୍କୁ ସମବାୟ ସହିତ ଯୋଡ଼ିବା ଆମର ଲକ୍ଷ୍ୟ। ଏଥିପାଇଁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଗୋଟିଏ PACS/LAMPCS ଗଠନ କରାଯିବାର ମଧ୍ୟ ଲକ୍ଷ୍ୟ ରହିଛି।


