ସିଲ୍‌ ହେଲା ଭୁବନେଶ୍ୱର କୋର୍ଟ

ଭୁବନେଶ୍ୱର, ୨୪।୯ (ବ୍ୟୁରୋ): ଭୁବନେଶ୍ୱର କୋର୍ଟ ପରିସରକୁ ବିଏମ୍‌ସି ପକ୍ଷରୁ ୩ଦିନ ପାଇଁ ସିଲ୍‌ କରାଯାଇଛି। କୋର୍ଟର ୧୫ଜଣ ଜୁଡିସିଆଲ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସିଲ୍‌ କରାଯାଇଥିବା ସୂଚନା ଦିଆଯାଇଛି।

ସେହିପରି କରୋନା ସଂକ୍ରମଣ ପାଇଁ ଜିଲା କୋର୍ଟ, ଦେବୋତ୍ତର କମିଶନରଙ୍କ କାର୍ଯ୍ୟାଳୟ, କୋର୍ଟ ପରିସରରେ ଥିବା ବାର୍‌ ଆସୋସିଏସନ୍‌ କାର୍ଯ୍ୟାଳୟ ମଧ୍ୟ ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଏହାବ୍ୟତୀତ ସମ୍ପୃକ୍ତ ଜୁଡିସିଆଲ କମ୍ପ୍ଲେକ୍ସକୁ ସାନିଟାଇଜ୍‌ କରାଯିବା ସହ ବିଏମ୍‌ସିର ଅଧିକାରୀଙ୍କ ବ୍ୟତୀତ ଅନ୍ୟ କାହାର ପ୍ରବେଶ ଏବଂ ପ୍ରସ୍ଥାନକୁ ବାରଣ କରାଯାଇଛି। ସଂକ୍ରମିତ କର୍ମଚାରୀ ଓ ଆଇନ୍‌ଜୀବିମାନଙ୍କୁ ଆଇସୋଲେସନ୍‌ରେ ରହିବା, ଚିକିତ୍ସା ସମ୍ପର୍କୀତ କୌଣସି ଆବଶ୍ୟକତା ହେଲେ ବିଏମ୍‌ସି ସହିତ ଯୋଗାଯୋଗ କରିବାକୁ କୁହାଯାଇଛି। ଆସନ୍ତା ୨୭ରେ କୋର୍ଟ ପରିସର ଖୋଲାଯାଇ ସମସ୍ତ କର୍ମଚାରୀଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।