ବାଲେଶ୍ୱର,୯ା୭(ବାଞ୍ଛାନିଧି ଦେେ): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ତଥା କର୍ପୋରେଟ୍ ସପକ୍ଷବାଦୀ ନୀତିକୁ ବିରୋଧ କରି ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ଏହାର ସହଯୋଗୀ ସଂଗଠନଗୁଡ଼ିକ ପକ୍ଷରୁ ବୁଧବାର ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି। ବାଲେଶ୍ୱର ସହରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୬ଟାରୁ ଟିୟୁଏସିସି ଓ ଶ୍ରମିକ ସଂଗଠନ କର୍ମକର୍ତ୍ତାମାନେ ଆନ୍ଦୋଳନ କରିବା ସହ ନାରାବାଜି କରିଛନ୍ତି। ଗାଡ଼ି ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ନିଜର ଗନ୍ତବ୍ୟସ୍ଥଳକୁ ଯାଇ ନ ପାରି ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ୧୬ ନଂ ଜାତୀୟ ରାଜପଥରେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଛି। ଘଣ୍ଟାଏ କାଳ ଦୁଇଟି ଯାତ୍ରୀବାହୀ ଟ୍ରେନ୍ ଷ୍ଟେଶନରେ ଅଟକି ରହିବା ଫଳରେ ଯାତ୍ରୀମାନେ ସମସ୍ୟାରେ ସମ୍ମୁଖୀନ ହୋଇଥିଲେ। ବ୍ୟାଙ୍କ, ବିର୍ଲା ଟାୟାର୍ସ, କୋର୍ଟ ସମେତ ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଏସ୍ପି ରାଜପ୍ରସାଦଙ୍କ ତତ୍ତ୍ୱାବଧାନରେ ଆନ୍ଦୋଳନସ୍ଥଳରେ ବ୍ୟାପକ ପୋଲିସ ମୁତୟନ ରହିଛନ୍ତି। ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ, ପ୍ରଦୀପ୍ତ ପଣ୍ଡା, ଭାଗବତ ପ୍ରତିହାରୀ, ଆଶୁତୋଷ ପରିଡା, ପ୍ରେମରଞ୍ଜନ ପାତ୍ର, ଈଶାଣୀ ଷଡ଼ଙ୍ଗୀ ବାସନ୍ତୀ ସାମଲ ନିରାକାର ପାଣ୍ଡ, ଭରତ ସେଠୀ, ଶ୍ୟାମସୁନ୍ଦର ଜେନା, ସଞ୍ଜୀବ ଗିରି, ସ୍ବରୂପ ଦାସ, ସୁଦର୍ଶନ ଜେନା, ସୁଧାଂଶୁ ପରିଡ଼ା ପ୍ରମୁଖ ଧର୍ମଘଟରେ ସାମିଲ ହୋଇଛନ୍ତି।