ଭଞ୍ଜନଗର,୨।୫(ବାବୁଲା ପ୍ରଧାନ): ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ବତନ୍ତ୍ର ସଚିବ (ଜଳ ପ୍ରଭାରୀ ଗଞ୍ଜାମ)
ମୁକୁଳ ଚନ୍ଦ୍ର ବେରା ତିନି ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସି ଶୁକ୍ରବାର ବିଭିନ୍ନ ଜଳସେଚନ ପ୍ରକଳ୍ପର ନିରୀକ୍ଷଣ କରିଛନ୍ତି।
ଏହି ଅବସରରେ ସେ ଜଳଭଣ୍ଡାର ଉପରେ ସର୍ବସାଧାରଣଙ୍କ ଅବାଧ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଧେଶ ଦେଇଥିଲେ। ଏପରିକି ଏହାର ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ଭଞ୍ଜନଗର ଏବଂ ସୋରଡ଼ା ଜଳଭଣ୍ଡାର ବହୁ ପୁରୁଣା ଜଳଭଣ୍ଡାର, ତାହାର ପୁନରୁଦ୍ଧାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ଦୁଇ ଜଳଭଣ୍ଡାରକୁ ସ୍ବତନ୍ତ୍ର ସର୍ଭେ କରି କ’ଣ ସମସ୍ୟା ରହିଛି ତାହାର ଯାଞ୍ଚ କରାଯିବ। ଯେଉଁଠି ଉନ୍ନୟନ କାର୍ଯ୍ୟ ଚାଲିଛି ତାହାର କାମ ତ୍ୱରାନ୍ବିତ କରିବାକୁ ସଚିବ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ ।
ଜଳସେଚନ ପ୍ରକଳ୍ପଗୁଡ଼ିକରେ ପାଣି କିଭଳି ମହଜୁଦ ରହିପାରିବ ଏବଂ ତାହାର ସୁଫଳ ଜନସାଧାରଣ, ଚାଷୀମାନେ କିଭଳି ପାଇ ପାରିବେ ସେଥିପାଇଁ ପଦକ୍ଷେପ ନେବାକୁ ସଚିବ କହିଥିଲେ। ସଚିବ ଭୁବନେଶ୍ୱରରୁ ଆସି ପ୍ରଥମେ ଆସିକାରେ ଋଷିକୂଲ୍ୟା ନଦୀ ବନ୍ଧ ନିରୀକ୍ଷଣ କରିଥିଲେ । ସେଠାରୁ ପ୍ରସ୍ତାବିତ ପିପଳପଙ୍କା ପ୍ରକଳ୍ପ ବୁଲି ଦେଖିଥିଲେ।
ଏହାପରେ ସୋରଡ଼ା ଜଳଭଣ୍ଡାର, ସୋରିଷମୁଳି ଆନିକଟ ବୁଲି ଦେଖିଥିଲେ। ଏହି ସମୟରେ ସେ ବୃହତ ଏବଂ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକ ବୁଲି ନିରିକ୍ଷଣ କରିଥିଲେ। ସଚିବଙ୍କ ଗସ୍ତ ସମୟରେ ମୁଖ୍ୟଯନ୍ତ୍ରୀ ଅଜୟ କୁମାର ବିଶ୍ବାଳ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରାଜୀବ କୁମାର ପଣ୍ଡିତ, ବିଷ୍ଠୁ ଚରଣ ସାହୁ, ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ, ସହକାରୀ ଯନ୍ତ୍ରୀ ରଶ୍ମି ରଞ୍ଜନ ରଥ, ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର, ସୋରିଷମୁଳି ସହକାରୀ ଯନ୍ତ୍ରୀ ପ୍ରହଲ୍ଲାଦ ପଣ୍ଡା, ସୋରଡ଼ା
ସହକାରୀ ନିର୍ବାହୀ ଯନ୍ତ୍ରୀ ଦେବେନ୍ଦ୍ର କୁମାର ପ୍ରଧାନ, ବାଲିପଦର ସହକାରୀ ଯନ୍ତ୍ରୀ ସୁବାଷ ଚନ୍ଦ୍ର ମୁନି, ଆସିକା ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ସାହୁ, ସୋରଡା ସହକାରୀ ଯନ୍ତ୍ରୀ ବିଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକଳ୍ପ ନିରୀକ୍ଷଣ କଲେ ସଚିବ


