ମେଡିକାଲ ସିସିଟିଭି ଫୁଟେଜ୍‌ରେ ପୂରା ଘଟଣା : ଦିବ୍ୟାଙ୍ଗଙ୍କୁ ମାଡ ମାରିଥିବା ଡାକ୍ତରଙ୍କ ବିରୋଧରେ ମାମଲା: ରୁଜୁ 

ଭଞ୍ଜନଗର,୧୪।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ସାସ୍ଥ୍ୟ ପରୀକ୍ଷା କରିବାକୁ ଶୁକ୍ରବାର ଯାଇଥିବା ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଜଣେ ମହିଳା ଡାକ୍ତର ଆକ୍ରମଣ କରିଥିଲେ। ଏନେଇ ମହିଳାଙ୍କ ପୁଅ ଧର୍ମରାଜ ଭୂୟାଁ ଶୁକ୍ରବାର ଥାନାରେ ଏ ଘଟଣା ସଂପର୍କରେ ଅଭିଯୋଗ କରିଥିଲେ। ପୋଲିସ ଶୁକ୍ରବାର ହିଁ ଏନେଇ ୨୧୧/୨୬ ରେ ଏକ ମାମଲା ଡାକ୍ତରଙ୍କ ବିରୋଧରେ ରୁଜୁ କରିଥିଲା। ଏଥିସହ ପୋଲିସ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲର ସିସିଟିଭି ଫୁଟେଜକୁ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ନୂଆ ଆଇନ ଅନୁସାରେ ଡାକ୍ତରଙ୍କୁ ନୋଟିସ ପଠାଯାଇଛି।
ଘଟଣାରୁ ପ୍ରକାଶ ଯେ, ଭଞ୍ଜନଗର ସହର ଭେଜିପୁଟ କୋଲିସାହିର ଦିବ୍ୟାଙ୍ଗ ମହିଳା ରେଣୁକା ଭୂୟାଁଙ୍କ ସ୍ବାସ୍ଥ୍ୟ ଖରାପ ଥିବା ଯୋଗୁ ତାଙ୍କ ପୁଅ ଧର୍ମରାଜ ମାଙ୍କୁ ମେଡିକାଲ ନେଇଥିଲେ ଚିକିତ୍ସା ପାଇଁ। ସାଥିରେ ରେଣୁକାଙ୍କ ଭାଣିଜୀ ମଧ୍ୟ ଥିଲେ। ଆଉଟ ଡୋର ଡ୍ୟୁଟିରେ ଥିବା ଡ଼ାକ୍ତର କିରଣ ମହାପାତ୍ରଙ୍କୁ ସ୍ବାସ୍ଥ୍ୟ ଦେଖାଇବାକୁ ରେଣୁକା ଯାଇଥିଲେ। ଏହି ସମୟରେ ଡାକ୍ତର ମହାପାତ୍ର କୌଣସି କାରଣରୁ ରେଣୁକାଙ୍କୁ ଅସଦ ବ୍ୟବହାର ଦେଖାଇବା ସହ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ମେଡିକାଲ ଏବଂ ଥାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୋଲିସ ମାମଲା ରୁଜ୍ଜୁ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାଇବାରେ ସଫଳ ହୋଇଥିଲା।
ଶନିବାର ଉକ୍ତ ଘଟଣାର ଭିଡିଓ ଭାଇରଲ ହେବାପରେ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଅନେକ ସମୟରେ ଭଞ୍ଜନଗର ମେଡିକାଲରେ ରୋଗୀ ସେବାରେ ଅବହେଳା ହେଉଥିବା ଅଭିଯୋଗ ହୋଇ ଆସୁଥିଲା। କାଲିରଘଟଣା ଅନେକ କିଛି ପ୍ରମାଣିତ କରୁଛି।
Dharitri – Odisha’s No.1 Odia Daily

Share