ଅନାସ୍ଥା ପ୍ରସ୍ତାବକୁ ନେଇ ହଲଚଲ, ଚାଞ୍ଚଲ୍ୟକର ବୟାନ ଦେଲେ ଭକ୍ତ, କହିଲେ ନବୀନଙ୍କ ସହ…

ଭୁବନେଶ୍ୱର,୨୫।୭: ପିସିସି ସଭାପତିଙ୍କ ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୀତି ସରଗରମ ରହିଛି। କଂଗ୍ରେସ ଓ ବିଜେଡି ମିଶି ଭାଜପା ସରକାରଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ। ଯାହାକୁ ନେଇ ଏବେ ବୟାନବାଜି ବଢିବାରେ ଲାଗିଛି।

ସେପଟେ ଦରକାର ପଡ଼ିଲେ ନବୀନଙ୍କ ସହ କଥା ହେବେ ବୋଲି ପିସିସି ସଭାପତି ଭକ୍ତ ଦାସ ବଡ଼ ବୟାନ ଦେଇ କହିଛନ୍ତ । ଏପଟେ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ନିଷ୍ପତ୍ତି ନେବେ ନବୀନ। ଅନ୍ୟପଟେ ବିରୋଧୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ।

ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ଓ ନିର୍ଯାତନାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ହିଂସା ଓ ନିର୍ଯାତନା ବଢୁଥିବାବେଳେ ସରକାର ତାହା ନିୟନ୍ତ୍ରଣ କରିବାରେ ଅକ୍ଷମ ହୋଇଛନ୍ତି ବୋଲି ଭକ୍ତ କହିଛନ୍ତି । ତେଣୁ ଏହି ସମୟରେ ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିଜେଡିକୁ ପ୍ରସ୍ତାବ ପିସିସି ସଭାପତି ଦେଇଛନ୍ତି । ଭକ୍ତ କହିଛନ୍ତି , ନାରୀ ନିର୍ଯାତନା ମାମଲାରେ କଂଗ୍ରେସ ଓ ବିଜେଡି ଏକାଠି ଆସିପାରିବେ । ବିଜେଡି କିଛି ପଦକ୍ଷେପ ନେଲେ, କଂଗ୍ରେସ ସମର୍ଥନ କରିବ। ଏହା ସହ ଦରକାର ପଡିଲେ ସେ ନବୀନଙ୍କ ସହ କଥା ହେବେ ବୋଲି କହିଛନ୍ତି।

ବିରୋଧୀଙ୍କ ସଂଖ୍ୟା ୬୫ ଓ ସ୍ବାଧୀନ ବିଧାୟକ ୪ ଜଣ ଅଛନ୍ତି । ସଂଖ୍ୟା ଗରିିଷ୍ଠତା ପାଇଁ ଆଉ ମାତ୍ର ୬ରୁ ୭ ବିଧାୟକଙ୍କ ଆବଶ୍ୟକତା ରହିଛି । ଯଦି ବିତର୍କରେ ସରକାର ଜବାବ ରଖି ନ ପାରନ୍ତି, ତେବେ ସରକାର ଭାଙ୍ଗିଯିବାର ଆଶଙ୍କା ରହିଛି ବୋଲି ଭକ୍ତ କହିଛନ୍ତି ।

ଅନ୍ୟପଟେ ଅନାସ୍ଥା ଚର୍ଚ୍ଚା ଉପରେ ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ତେର୍ଚ୍ଛାବାଣ ମାରିଛନ୍ତି। ତାରା କହିଛନ୍ତି, ଅନାସ୍ଥା ଆଣିବା ପାଇଁ ଆମ ପାଖରେ ସଂଖ୍ୟା ରହିଛି। ଆମେ ୧୪ ବିଧାୟକ ଓ ଆମ ସହ ଜଣେ ସିପିଆଇ ବିଧାୟକ ବି ଅଛନ୍ତି। ବିଜେଡି ସମର୍ଥନ ନ କଲେ ଭାଜପା ସହ ଅଛି ବୋଲି ଜଣାପଡ଼ିବ। ଅନାସ୍ଥା କାଟ ଖାଇବ ନାହିଁ। ଭୋଟିଂ ପରେ ଜଣାପଡ଼ିବ।

Share