ଭୁବନେଶ୍ୱର,୨୧।୭: ଗଣବଳାତ୍କାର ଏବଂ ବିଭିନ୍ନ ନିର୍ଯାତନାର ଶିକାର ହୋଇଥିବା ଝିଅ, ଭଉଣୀ ଏବଂ ମହିଳାମାନଙ୍କୁ ନ୍ୟାୟ ମିଳୁନାହିଁ। ବିଶେଷ କରି ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀଙ୍କୁ ନ୍ୟାୟ ମିଳିପାରିଲା ନାହିଁ। ଛାତ୍ରୀ ଜଣଙ୍କ କହି କହି ଥକି ଗଲା, ହେଲେ ପୋଲିସ କାହିଁକି ମାମଲା ରୁଜୁ କଲାନି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ।
ଭକ୍ତ ଆହୁରି କହିଛନ୍ତି, ନିର୍ଯାତନାକୁ ନେଇ ଛାତ୍ରୀ ଜଣଙ୍କ ମୁଖ୍ୟମନ୍ତ୍ରୀ, ଏସ୍ପି ଅଫିସ, ସମସ୍ତଙ୍କୁ ଟୁଇଟ୍ କରିଛି। ହେଲେ କେହି ଶୁଣିଲେନି। ଭିଡିଓ ମାଧ୍ୟମରେ ବି ସେ ଛାତ୍ରୀ ଜଣଙ୍କ କହିଥିଲେ, କେହି ଜଣେ ଯତ୍ନବାନ ହେଲେନି କି ଏଫଆଇଆର କଲେନି। ଏହାର ଉତ୍ତର ଦେବାକୁ ପଡିବ। ଛାତ୍ରୀଟି ମରିବା ପର୍ଯ୍ୟନ୍ତ ଲଢେଇ କଲେ, ହେଲେ ଗୋଟେ ଏଫ୍ଆଇଆର ଦେଇପାରିଲେନି। ଏହା ଏକ ଦୁର୍ଭାଗ୍ୟଜନକ। କଂଗ୍ରେସ ନ୍ୟାୟ ପାଇଁ ସବୁ କିଛି କରିପାରିବ ବୋଲି କହିଛନ୍ତି ଭକ୍ତ। ଏହା ସହିତ ଭକ୍ତ କହିଛନ୍ତି, ସୌମ୍ୟାଶ୍ରୀଙ୍କ ନ୍ୟାୟ ପାଇଁ ଓଡ଼ିଶାରେ ପ୍ରତି ଘରେ ଘରେ ଆସନ୍ତା ୨୪ ତାରିଖ ଦିନ ଶ୍ରଦ୍ଧାଞ୍ଜଳି ଦିବସ ହିସାବରେ ପୀଡିତା ପାଇଁ ନ୍ୟାୟ, ରାଜ୍ୟରେ ନିଖୋଜ ହୋଇଥିବା ମହିଳା ଏବଂ ଶିଶୁ ପାଇଁ ନ୍ୟାୟ ପାଇଁ ଏକ ମିନିଟ୍ର ନୀରବ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି ଭକ୍ତ।