ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ ତାଲିକା ଘୋଷଣା କରିଛନ୍ତି। କୋରାପୁଟ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷଭାବେ ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତର ଖଡକପୂର ଗ୍ରାମନିବାସୀ ଭଗବାନ ମୁଦୁଲିଙ୍କୁ ମନୋନୀତ କରାଯାଇଛି। ଯାହାକୁ ଶୁଣି ନନ୍ଦପୁର ବ୍ଲକବାସୀ ଓ ଭାଜପା କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି।
ମୁଦୁଲି ପୂର୍ବରୁ ନନ୍ଦପୁର ପଞ୍ଚାୟତର ସରପଞ୍ଚ, ବ୍ଲକ, ନିର୍ବାଚନମଣ୍ଡଳୀ ଓ ଜିଲା ଭାଜପା କମିଟିରେ ବିଭିନ୍ନ ପଦ ପଦବୀରେ ରହି କାର୍ଯ୍ୟ କରିଛନ୍ତି। ପୂର୍ବ ଅଭିଜ୍ଞତାକୁ ପାଥେୟ କରି ନନ୍ଦପୁର ବ୍ଲକ ସମେତ କୋରାପୁଟ ଜିଲାର ଆଦିବାସୀଙ୍କ ହିତରେ କାର୍ଯ୍ୟକରିବେ ବୋଲି ମୁଦୁଲି ସୂଚନା ଦେଇଛନ୍ତି। ନନ୍ଦପୁର ଓ ପାଡୁଆ ମଣ୍ଡଳ ଭାଜପା କର୍ମକର୍ତ୍ତାଙ୍କ ସମେତ ପୂର୍ବତନ ଜିଲା ଭାଜପା ସଭାପତି ସରୋଜ ମିଶ୍ର, ବରିଷ୍ଠ ନେତା ଏସ କେ ଗଫୁର, ଜାତୀୟ କାଉନସିଲ ସଦସ୍ୟ ଜୟରାମ ଭୋଇ ପ୍ରମୁଖ ଭଗବାନଙ୍କୁ ଶୁଭେଛା ଜଣାଇଛନ୍ତି।