ବ୍ରହ୍ମପୁର ଦୁର୍ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପ୍ରତି ମୃତକଙ୍କ ପରିବାରକୁ ମିଳିବ…

ଭୁବନେଶ୍ୱର,୩୧ା୧: ବ୍ରହ୍ମପୁର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରାଯିବ।

ଏଥିସହିତ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ଗଭୀର ଶୋକ ପ୍ରକାଶ ସହ ସମବେଦନା ଜଣାଇଛନ୍ତି। ସମସ୍ତ ଆହତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନା ଥାଉକି, ଶନିବାର ମଧ୍ୟାହ୍ନରେ ଗଞ୍ଜାମ ଜିଲାର ହଳଦିଆପଦର ଓଭରବ୍ରିଜରେ ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୫ଜଣ ଯୁବକଙ୍କ ଶୋଚନୀୟ ମତ୍ୟୁ ଘଟିଛି। ସେହିପରି ଜଣେ ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ମୃତଦେହଗୁଡିକ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଆହତଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲ ଚିକିତ୍ସା ପାଇଁ ପଠାଇଛି।  ଦୁର୍ଘଟଣା ପରେ ରାସ୍ତାରେ ଯାତାୟାତ କରୁଥିବା ଗାଡିଗୁଡିକ ଅଟକି ରହିଥିଲା। ଫଳରେ ରାସ୍ତା ଜାମ୍‌ ହୋଇଯାଇଥିଲା। ପୋଲିସ ଟ୍ରାଫିକ କଣ୍ଟ୍ରୋଲ କରିବା ସହ ଯାନବାହନ ଚଳାଚଳ  ସ୍ବାଭାବିକ କରୁଛି। ଶନିବାର ଦୁଇଟି ବାଇକରେ ଆଗପଛ ହୋଇ ହଳଦିଆପଦର ପଟକୁ ଯାଉଥିଲା। ଅନ୍ୟପଟେ ବିପରୀତ ଦିଗରୁ ଏକ ବୋଝେଇ ଟ୍ରକ୍‌ ସହର ଭିତରକୁ ପ୍ରବେଶ କରୁଥିଲା। ତେବେ ଟ୍ରକ ଚାଳକ ଜଣଙ୍କ ବେପରୁଆ ଭାବେ  ଗାଡି ଚାଳନା କରି ଆଗ ପଛ ହୋଇ ଯାଉଥିବା ଦୁଇଟି ବାଇକ ଉପରେ ମାଡି ଯାଇଥିଲା। ଯାହାଫଳରେ ବାଇକ ଚାଳକ ସମେତ ସେଥିରେ ବସିଥିବା ଯୁବକଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ଟ୍ରକ ଚାଳକ ଫେରାର ହୋଇଯାଇଥିବା ପୋଲିସ କହୁଛି।
Dharitri –Odisha’s No.1 Trusted Odia Daily

Share