ନୟାଗଡ଼,୨୩।୨(ଲୋକନାଥ ମିଶ୍ର): ଛାତ୍ର ମୃତ୍ୟୁକୁ ନେଇ ଦଶପଲ୍ଲା ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରେ ୩୪ ଦିନ ହେବ ସ୍କୁଲ୍ ରେ ତାଲା ପକାଇଥିଲେ ପରିବାର ଲୋକେ। ଆଜି ବେଲପଡ଼ା ପ୍ରାଥମିକ ସ୍କୁଲରୁ ତାଲା ଖୋଲିଲା। ସୋମବାର ସମ୍ପୃକ୍ତ ସ୍କୁଲରେ ଜିଲାପାଳ ମଧୁମିତା ରଥ ଓ ଅତିରିକ୍ତ ଏସ୍ପି ସୁବାସ ପଣ୍ଡା ପହଞ୍ଚି ୨ ପ୍ଲାଟୁନ ଫୋର୍ସ ଉପ ସ୍ଥିତିରେ ସ୍କୁଲ ଖୋଲିଛନ୍ତି।
ନୟାଗଡ଼ ଜିଲା ଗଣିଆ ବ୍ଲକ ବେଲପଡା ପାଟଣା ପ୍ରାଥମିକ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ୩୪ ଦିନ ହେଲା ତାଲା ଝୁଲୁଥିଲା। ସ୍କୁଲ ଖୋଲିଲା ବେଳେ ବାଧକ ସାଜିଥିବା ମୃତକ ଛାତ୍ରଙ୍କ ମା ବାପାଙ୍କ ସମେତ ୧୩ ଜଣଙ୍କୁ ପୋଲିସ ଅଟକ ରଖିଛି। ତେବେ ସ୍କୁଲରେ ତାଲା ପଡିଥିବାରୁ ଛାତ୍ରୀଛାତ୍ର ପରୀକ୍ଷା ଦେଇପାରି ନଥିଲେ ।ସୋମବାରର ପରକ୍ଷା ନିକଟସ୍ଥ ଦଧି ବାମନ ହାଇସ୍କୁଲରେ କରାଯାଇଛି ।
କହିରଖୁଛୁ କି, ଗତ ଫେବୃଆରୀ ୩ ତାରିଖରେ ପଞ୍ଚମ ଶ୍ରେଣୀର ଛାତ୍ର ଭୋଲାନାଥ ନାୟକଙ୍କ ମୃତ୍ୟୁ ହୋଇଥିଲା।
ମଧ୍ୟାହ୍ନ ଭୋଜନ ଖାଇବା ପରେ ଶୌଚ ହେବାକୁ କହି ନିଖୋଜ ହୋଇଯାଇଥିଲେ। ପର ଦିନ ଫେବୃଆରୀ ୪ ତାରିଖରେ ସ୍କୁଲ ପାଖ ଏକ ପରିତ୍ୟକ୍ତ ଚୁଆରୁ ଛାତ୍ରଙ୍କ ମୃତଦେହ ମିଳିଥିଲା । ଏହା ପରେ ସ୍କୁଲରେ ତାଲା ଝୁଲି ରହିଥିଲା। ଛାତ୍ରଙ୍କ ମୃତ୍ୟୁ ଘଟଣାରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୨ ଶିକ୍ଷୟତ୍ରୀ ନିଲମ୍ବିତ ହୋଇଥିଲେ।
୨ ନିଲମ୍ବିତ-ଶିକ୍ଷୟତ୍ରୀଙ୍କୁ ଗିରଫ ଦାବିରେ ମୃତକ ଛାତ୍ରଙ୍କ ପରିବାର ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଇ କରା ଯାଇଥଲା। ଅନ୍ୟପଟେ ପରୀକ୍ଷା ପାଇଁ ସ୍କୁଲ ଖୋଲିବା ଦାବିରେ ସବର୍ଣ୍ଣ ଅସବର୍ଣ୍ଣ ବିବାଦ ହୋଇଥିଲା। ସବର୍ଣ୍ଣ ଲୋକମାନେ ସ୍କୁଲ ଖୋଲିବା ଦାବିରେ ନୟାଗଡ଼ ଜିଲାପାଳ, କନ୍ଧମାଳ ଏମିଙ୍କ ସମେତ ଅନେକ ଜିଲା ସ୍ତରୀୟ ଅଧିକାରୀଙ୍କୁ ଅଟକ ରଖି ନୟାଗଡ଼ ଜିଲା ପରିଷଦ କାର୍ଯ୍ୟଳୟ ସମୁଖରେ ଧାରଣ ଦେଇଥିଲେ ।

