ବଜେଟ ଉପସ୍ଥାପନ ପୂର୍ବରୁ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ: ସୁବର୍ଣ୍ଣ ଯୁଗ ଆଡ଼କୁ…

ଭୁବନେଶ୍ୱର,୨୦।୨: ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ଆଉ କିଛି ସମୟ ପରେ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଆର୍ଥିକବର୍ଷ ଲାଗି ବଜେଟ ଉପସ୍ଥାପନ କରିବେ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ ବଡ଼ କଥା କହିଛନ୍ତି। ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଆଜି ବିକାଶର ଏକ ସୁବର୍ଣ୍ଣ ଯୁଗ ଆଡ଼କୁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଛି। ଅର୍ଥନୈତିକ ସର୍ଭେ ୨୦୨୫-୨୬ ରିପୋର୍ଟରେ ମୁଣ୍ଡପିଛା ଆୟ ବୃଦ୍ଧି, ଶିଳ୍ପ, ସେବା ଓ ମହିଳା ଶ୍ରମଶକ୍ତିରେ ଅଭିବୃଦ୍ଧି ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଆଶାର ଏକ ନୂତନ ସନ୍ଦେଶ ଆଣିଛି। ଏହା କେବଳ ଏକ ପରିସଂଖ୍ୟାନ ନୁହେଁ ବରଂ ସାଢ଼େ ୪କୋଟି ଓଡ଼ିଆଙ୍କ ସଂକଳ୍ପ ଓ ପରିଶ୍ରମର ପ୍ରତିଫଳନ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ଏବଂ ଆପଣମାନଙ୍କ ଅକୁଣ୍ଠ ଭରସାକୁ ପାଥେୟ କରି ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମେ ଦୃଢ଼ ପଦକ୍ଷେପ ନେଉଛୁ। ଆଜି ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେବାକୁ ଯାଉଥିବା ‘ଓଡ଼ିଶା ବଜେଟ ୨୦୨୬-୨୭’ କେବଳ ଏକ ଆର୍ଥିକ ଦସ୍ତାବିଜ ନୁହେଁ, ବରଂ ଏହା ରାଜ୍ୟର ପ୍ରତିଟି ଶ୍ରେଣୀର ଆଶା ଓ ଆକାଂକ୍ଷାର ପ୍ରତିଫଳନ।

ଆମର ଲକ୍ଷ୍ୟ ସ୍ପଷ୍ଟ – ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ବିକାଶର ସୁଫଳ ପହଞ୍ଚାଇବା। ଅନ୍ନଦାତାଙ୍କ ସମୃଦ୍ଧି, ନାରୀଶକ୍ତିଙ୍କ ସଶକ୍ତିକରଣ ଏବଂ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରି ‘ଅନ୍ତ୍ୟୋଦୟ’ର ସ୍ବପ୍ନକୁ ସାକାର କରିବା ପାଇଁ ଏହି ବଜେଟ ସଂକଳ୍ପବଦ୍ଧ। ଆସନ୍ତୁ, ଏକ ସମୃଦ୍ଧ ଓ ସୱାଭିମାନୀ ଓଡ଼ିଶା ଗଠନର ଏହି ମହାଯଜ୍ଞରେ ଆମେ ସମସ୍ତେ ସହଭାଗୀ ହେବା।

ଆଜି ରାଜ୍ୟ ବଜେଟ: ଓଡ଼ିଶାର ମୁଣ୍ଡ ପିଛା ଆୟ ୯.୨% ବୃଦ୍ଧି

ସୂଚନାଯୋଗ୍ୟ,ଓଡ଼ିଶାର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହେଉଛି। ଏଥିଯୋଗୁ ୨୦୨୫-୨୬ (ଅଗ୍ରୀମ ଆକଳନ)ରେ ଓଡ଼ିଶାର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୭୬୧ ଟଙ୍କାରେ ପହଞ୍ଚିଛି। ଏହି ସମୟରେ ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା ଆୟ ୬.୯ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଗୁରୁବାର ବିଧାନସଭାରେ ଉପସ୍ଥାପିତ ହୋଇଥିବା ‘ଓଡ଼ିଶା ଅର୍ଥନୈତିକ ସର୍ଭେ ୨୦୨୫-୨୬’ ରିପୋର୍ଟରୁ ଜଣାଯାଇଛି।

 

Dharitri – Odisha’s No.1 Odia Daily

 

Share