ହିଞ୍ଜିଳିକାଟୁ,୧୯ା୨(ଦ୍ୱିତୀକୃଷ୍ଣ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ବିବାହ ଶୋଭାଯାତ୍ରାରେ ଭୁଜାଲିମାଡ଼ରେ ଜଣେ ଗୁରୁତର ଘଟଣାରେ ପୋଲିସ ମଙ୍ଗଳବାର ୪ ଜଣଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ହିଞ୍ଜିଳି ସାନସାହିର ଚନ୍ଦନ ଚୌଧୁରୀ (୩୨), ତାଙ୍କ ସାନ ଭାଇ କାହ୍ନୁ ଚୌଧୁରୀ (୨୮), ପାଟଣା ସାହିର ରାମଚନ୍ଦ୍ର ସେନାପତି (୩୫) ଓ ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମର ଗଣେଶ ପୃଷ୍ଟି (୩୮) । ଗିରଫମାନଙ୍କଠାରୁ ଶୋଭାଯାତ୍ରାରେ ବ୍ୟବହୃତ ଗାଡ଼ି (ଓଡି୧୫ ଆର ୧୭୩୭), ଏକ ସ୍କୁଟି (ଓଡି୦୭ ଜେ ୯୪୮୧) ଓ ଆକ୍ରମଣରେ ବ୍ୟବହୃତ ଏକ ଭୁଜାଲିକୁ ପୋଲିସ ଜବତ କରିଛି। ବୁଧବାର ଗିରଫ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।
ଅନ୍ୟପକ୍ଷରେ ଭୁଜାଲି ଆକ୍ରମଣରେ ଗୁରୁତର କଣ୍ଟେଇକୋଳି ଗ୍ରାମର କାହ୍ନା ସାହୁ ବିଶାଖାପାଟଣାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପ୍ରକାଶ ଯେ, ରବିବାର ବିଳମ୍ବିତ ରାତିରେ ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ ସାମାନ୍ୟ କଥାକୁ କେନ୍ଦ୍ର କରି ଶୋଭାଯାତ୍ରା ଗାଡି ଚାଳକ , ମାଲିକ ଓ ଅନ୍ୟମାନେ ମିଶି ବରଘରର ସମ୍ପର୍କୀୟ କାହ୍ନାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଏଥିନେଇ ହିଞ୍ଜିଳି ଥାନାରେ କେସ୍ ନଂ- ୧୨୫/୨୫ ରେ ଏକ ମାମଲା ରୁଜୁ ହୋଇଛି।