ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ ଓ ମହିଳା। ମଦପିଇ ଝୁମୁଥିଲେ ପ୍ରେମୀଯୁଗଳ। ଖାରବେଳନଗର ଥାନା ଶ୍ରୀୟା ଟକିଜ୍ ଛକ ନିକଟରେ ଥିବା ମ୍ୟାଡ୍ମୁଲ୍(ଓଡି୦୨) ବାର୍ରେ ଏଭଳି କାର୍ଯ୍ୟକ୍ରମ ସକାଳ ପର୍ଯ୍ୟନ୍ତ ଚାଲିବାର ବ୍ୟବସ୍ଥା କରାଯାଇଥିଲା। ହେଲେ ଅଧା ରାତିରେ ସବୁ ବିଗାଡି ଦେଇଥିଲେ ଅବକାରୀ ଅଧିକାରୀ। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ସୁରିଣ୍ଟେଣ୍ଡେଣ୍ଟ ଦେବାଶିଷ ପଟେଲ, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ରାଜଶେଖର ସ୍ବାଇଁ ଓ ତାଙ୍କ ଟିମ୍ ସେଠାରେ ଚଢାଉ କରିଥିଲା। ବାର୍ କଡ଼ରେ ଏକାଧିକ ଗାଡି ପାର୍କିଂ ହୋଇଥିବା ବେଳେ ବାର୍ ବାହାରୁ ଶଟର ପଡିଥିଲା। ଅବକାରୀ ଅଧିକାରୀ ଶଟର୍ ଖୋଲିବାକୁ କହିଥିଲେ ମଧ୍ୟ କେହି ଖୋଲି ନ ଥିଲେ। ଶେଷରେ ଖାରବେଳନଗର ଥାନା ପୋଲିସ ସହାୟତାରେ ଅବକାରୀ କର୍ମଚାରୀମାନେ ଜବରଦସ୍ତ ଶଟର ଉଠାଇଥିଲେ। ବାର୍ ଭିତରେ ଯାହା ଦେଖିଲେ ଆଶ୍ଚର୍ଯ୍ୟ କଲାଭଳି। ରାତି ପ୍ରାୟ ୧ଟା ୩୦ରେ ଡିଜେ ବଜାଇ ଛାତି ଥରାଇ ଦେଉଥିଲେ ବାର୍ କର୍ତ୍ତୃପକ୍ଷ। ଆଉ ଭିତରେ ରହିଥିଲେ ୧୦୦ରୁ ଅଧିକ ଲୋକ। ସମସ୍ତଙ୍କ ଟେବୁଲରେ ମଦ ବୋତଲ ରହିଥିବା ବେଳେ ଅଧିକାଂଶ ମଦ ପିଇବା ସହ ଖାଉଥିଲେ। ଅବକାରୀ ଅଧିକାରୀ ଓ କର୍ମଚାରୀ ବାର ଭିତରକୁ ପଶି ଭିଡିଓ ରେକର୍ଡିଂ କରିବା ସମୟରେ ବାର୍ ମ୍ୟାନେଜର ଅଭିନାଶ ସାହୁ ଏବଂ ତାଙ୍କ କର୍ମଚାରୀ ଅବକାରୀ ବିଭାଗ ସହ ମୁହଁାମୁହିଁ ହୋଇଥିଲେ। ଗ୍ରାହକଙ୍କୁ ଅଟକାଇବାକୁ ତମେ କିଏ ବୋଲି ବାରମ୍ବାର ପ୍ରଶ୍ନ କରୁଥିଲେ। ଅବକାରୀ ଅଧିକାରୀ ନିଜ ପରିଚୟପତ୍ର ଦେଖାଇଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ଉତ୍ତ୍ୟକ୍ତ ହୋଇ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ। ପୋଲିସ ଉପସ୍ଥିତିରେ ଏହି ଘଟଣା ଘଟିଥିବାବେଳେ ଏଥିରେ ଜଣେ ଅବକାରୀ କର୍ମଚାରୀ ଆହତ ହୋଇଛନ୍ତି। ଏହାକୁ ନେଇ ଖାରବେଳ ନଗର ଥାନାରେ ଅବକାରୀ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ ଦେବାଶିଷ ପଟେଲ ଏତଲା ଦେଇଛନ୍ତି। ପୋଲିସ ମାମଲା ରୁଜୁ କରି ବାର୍ ମ୍ୟାନେଜର ଅଭିନାଶଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ସାକଳେ ଜିଲାପାଳଙ୍କ ଅନୁମତିକ୍ରମେ ଉକ୍ତ ବାର୍କୁ ଅବକାରୀ ବିଭାଗ ସିଲ୍ କରିଛି।
ଏ ସମ୍ପର୍କରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ରାଜଶେଖର କହିଛନ୍ତି, ଏଥର ନିୟମିତ ଭାବେ ରାତିରେ ଚଢ଼ାଉ କରାଯିବ। ଯେଉଁ ବାର୍ଗୁଡିକ ନିୟମ ଉଲ୍ଲଂଘନ କରୁଛନ୍ତି ଓ ଆଗରେ ଶଟର ପକାଇ ଭିତରେ ଖୋଲା ରଖୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।