କୋକସରା,୧୭।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ଅଧୀନ ଶିଉନି ଗାଁରେ ଏକ ଭାଲୁ ପଶି ଜନବସତି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳୁଛି। ଭାଲୁଟି ଗାଁ ନିକଟସ୍ଥ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ପ୍ରତିଦିନ ଚାଲି ଆସି କେତେବେଳେ ରାସ୍ତା ଉପରେ ତ’ କେତେବେଳେ ରାସ୍ତା କଡ଼ ପାଚେରୀ ଉପରେ ଚଢୁଛି। ଏନେଇ ସ୍ଥାନୀୟ ଲୋକେ ଆମପାଣି ସେକ୍ସନ ଫରେଷ୍ଟରଙ୍କ ନିକଟରେ ଅଭିଯୋଗ ପରେ ମଧ୍ୟ ବିଭାଗୀୟ ଅଧିକାରୀ ଭାଲୁ ଘଉଡାଇବା ପାଇଁ କୌଣସି ପଦକ୍ଷେପ ନେଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଗ୍ରାମବାସୀଙ୍କ କହିବା ମୁତାବକ, ଦୁଇଟି ଭାଲୁ ଦୀର୍ଘଦିନ ହେଲା ଗାଁ ଭିତରକୁ ଚାଳିଆସୁଛନ୍ତି। ଫଳରେ ଗ୍ରାମବାସୀ ଦିନେ କିମ୍ବା ରାତିରେ ଘରୁ ବାହାରିବା ପୂର୍ବରୁ କାଳେ ଭାଲୁ କେଉଁଠି ଥିବା ଭାବି ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ ଭାଲୁ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏଣୁ ଆମପାଣି ବନ ବିଭାଗ କର୍ମଚାରୀମାନେ ଭାଲୁକୁ ଘଉଡ଼ାଇ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କରିବାକୁ ସାଧାରଣରେ ଦାବି ହୋଇଛି। ଏନେଇ ଆମପାଣି ଫରେଷ୍ଟର ଚିତ୍ତରଞ୍ଜନ ବେହେରାଙ୍କୁ ପଚାରିବାରୁ ଭାଲୁର ଗତିବିଧି ଉପରେ ବନ କର୍ମଚାରୀ ନଜର ରଖିଛନ୍ତି। ଭାଲୁକୁ ଜଙ୍ଗଲକୁ ଘଉଡାଇବା ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି।