କୂଅରେ ପଡ଼ିଗଲା ଭାଲୁ; ୬ ଘଣ୍ଟା ପରେ …

କାଲିମେଳା,୨୪।୧(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଗମ୍ଫାକୋଣ୍ଡା ପଞ୍ଚାୟତର ଏମ୍‌ପିଭି-୨୬ ଗାଁରେ କୂଅ ଭିତରେ ଗୋଟିଏ ଭାଲୁ ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା ।ଖାଦ୍ୟ ଅନ୍ବେଷଣରେ ଆସି ଭାଲୁଟି ଗୁରୁବାର ରାତିରେ କୂଅରେ ପଡ଼ିଯାଇଥିବା ଅନୁମାନ କରାଯାଉଛି । ବନ ବିଭାଗ କର୍ମଚାରୀ ଏବଂ ମାଲକାନଗିରି ସ୍ଥିତ ବନ୍ୟଜନ୍ତୁ ଉଦ୍ଧାରକାରୀ ଟିମ୍‌ ସକାଳ ୮ରୁ ଦିନ ୨ଟା ପର୍ଯ୍ୟନ୍ତ ବହୁ ଚେଷ୍ଟା ପରେ ଭାଲୁଟି ଯନ୍ତା ଭିତରେ ପଡିଥିଲା l ବନ ବିଭାଗ ପକ୍ଷରୁ ଭାଲୁକୁ ସୁରକ୍ଷିତ ଭାବେ କୂଅରୁ ବାହାର କରାଯାଇ ତା’ର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଭାଲୁକୁ ବର୍ତ୍ତମାନ ଅବଜର୍ଭେଶନରେ ରଖାଯାଇଥିବା ବେଳେ ତାକୁ ଜଙ୍ଗଲରେ ସୁରକ୍ଷିତଭାବେ ଛଡାଯିବ ବୋଲି ବନ ବିଭାଗ ପକ୍ଷରୁ ଜଣାପଡିଛି।
ସୂଚନା ଅନୁଯାୟୀ, ଏମ୍‌ପିଭି ୨୬ ଗ୍ରାମର ବୀରେନ ବିଶ୍ବାସ ଏବଂ ତାଙ୍କ ପରିବାର ମାଲକାନଗିରିଠାରେ ରହୁଥିବା ବେଳେ ଘର ଖାଲି ପଡ଼ିଥିଲା। ତେବେ ତାଙ୍କ ଘର ପଛରେ ୧୦ ଫୁଟ ଗଭୀର ମୁକୁଳା କୂଅ ରହିଥବା ବେଳେ ଭାଲୁଟି ଅନ୍ଧାରରେ କୂଅ ଭିତରେ ପଡିଯାଇଥିବା ଅନୁମାନ କରାଯାଉଛି । ଶୁକ୍ରବାର ସକାଳେ ଭାଲୁ ଗର୍ଜନ କରିବାରୁ ସ୍ଥାନୀୟ ଲୋକେ ପ୍ରଥମେ ଦେଖି ଅନ୍ୟମାନଙ୍କୁ ଖବର ଦେଇଥିଲେ। କାଲିମେଳା ବନାଞ୍ଚଳ ଅଧିକାରୀ ବିଜୟ କୁମାର ନାୟକ, ଫରେଷ୍ଟର ଟୁକୁନା ଦଲେଇ ଏବଂ ରାପିଡ୍‌ ରେସ୍‌କ୍ୟୁ ଟିମ୍‌ ଭାଲୁକୁ ଖାଇବାକୁ ଦେବା ସହ କୂଅରୁ ବାହାର କରିବାକୁ ଉଦ୍ୟମ କରିଥିଲେ l ଭାଲୁ କୂଅ ଭିତରେ ଗାତ ଖୋଳି ସେଠାରେ ପଶି ରହିଥିବା ବେଳେ ଉଦ୍ଧାରକାରୀ ଦଳ କୂଅ ଉପରେ ଯନ୍ତା ଏବଂ ଜାଲ ବିଛାଇ ଜଗିଥିବା ଦେଖିବାକୁ ମିଳିଥିଲା। ଭାଲୁ ଭୟରେ ଗୋଟିଏ ସ୍ଥାନରେ ବସି ରହିଥିବା ଦେଖିବାକୁ ମିଳିଥିଲା । ବହୁ ଚେଷ୍ଟା ପରେ ଶେଷରେ ଭାଲୁଟି ଯନ୍ତା ଭିତରେ ପଡ଼ିଥିଲା।

Dharitri – Odisha’s No.1 Odia Daily