ଗଞ୍ଜାମ,୧୭ା୫(ବିଦ୍ୟାଧର ସାହୁ): ଜିଲାପାଳଙ୍କ ପରାମର୍ଶ କ୍ରମେ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ ପ୍ରତ୍ୟେକ ଶନିବାର ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶୀଲ ପଣ୍ଡା, ନିର୍ବାହୀ ଯନ୍ତ୍ରୀ ଦିଗାମ୍ବର ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଏଥିସହ ପ୍ରତ୍ୟେକ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ କିଭଳି ତ୍ୱରାନ୍ବିତ ହୋଇପାରିବ ସେନେଇ ବିଡ଼ିଓ ବିଭିନ୍ନ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରୁଛନ୍ତି। ପ୍ରତି ମାସରେ ବିଭିନ୍ନ ପଞ୍ଚାୟତ ସରପଞ୍ଚଙ୍କୁ ଭେଟି କ’ଣ ରହିଛି ସମସ୍ୟା ପଚାରି ବୁଝୁଥିବା ଜଣାପଡ଼ିଛି। ଏନେଇ ଶୁକ୍ରବାର ବିଡ଼ିଓ ଯାନୀ ମଲାଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗସ୍ତ କରି ସରପଞ୍ଚ ମମତା ବେହେରାଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ପଞ୍ଚାୟତରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ଏବଂ ଆୟୁଷ୍ମାନ କାର୍ଡ ଯୋଜନା, ଯୋଗ୍ୟ ହିତାଧିକାରୀଙ୍କୁ ରେସନ କାର୍ଡ ଆଦି ଉପରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ସରପଞ୍ଚ ପ୍ରତିନିଧି ସୁଦାମ ଚରଣ ବେହେରା, ପିଇଓ କେ.ପୋଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ।