ବ୍ରହ୍ମପୁର,୫।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ରେ କାର୍ଯ୍ୟରତ ଜଣେ କର୍ମଚାରୀ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ା ସେ ହେଲେ ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଛକ ନିକଟ ପଣ୍ଡା କଲୋନୀର ରୋଶନ କୁମାର ପଟ୍ଟନାୟକ(୨୮) । ତେବେ ଆଇପିଏଲ ସଟ୍ଟା କିମ୍ବା ଅନଲାଇନ ଗେମିଂରେ ଲକ୍ଷ ଲକ୍ଷ ଟଙ୍କା ହାରିବା ପରେ ସେ ମାନସିକ ଚାପରେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି । ଏ ନେଇ ବ୍ରହ୍ମପୁର ରେଳବାଇ ପୋଲିସ(ଜିଆର୍ପି) ଏକ ଅପମୃତ୍ୟୁ ମାମଲା(ନଂ.୩୧/୨୫) ରୁଜୁ କରିଛି।
ମିଳିଥିବା ସୂଚନା ମୁତାବକ, ବ୍ରହ୍ମପୁର ରେଳଷ୍ଟେଶନ ପ୍ଲାଟଫର୍ମ ୨ ନିକଟ ରେଳଧାରଣାରେ ଜଣେ ଯୁବକ କଟକ ଗୁଣପୁର ମେମୁ ଟ୍ରେନ ଆଗକୁ ଆସି ଆତ୍ମହତ୍ୟା କରିଥିବା ନେଇ ଜିଆର୍ପିକୁ ଖବର ମିଳିଥିଲା। ପୋଲିସ ପହଞ୍ଚି ଟ୍ରେନ ଚକାରେ ଲାଗି ରହିଥିବା ମୃତଦେହକୁ ଉଦ୍ଧାର କରି ଏମ୍କେସିଜି ମେଡିକାଲ ପଠାଇଥିଲା । ଘଟଣା ପରେ ଅଧା ଘଣ୍ଟା ଟ୍ରେନ ଘଟଣାସ୍ଥଳରେ ଅଟକି ରହିଥିଲା। ତଦନ୍ତ ବେଳେ ପୋଲିସ ମୃତଦେହ ନିକଟରୁ ଏକ ଆଧାର କାର୍ଡ ପାଇଥିଲା । ସେହିକ୍ରମରେ ପୋଲିସ ମୃତ ଯୁବକ ରୋଶନ ପଟ୍ଟନାୟକ ବୋଲି ଜାଣିବାକୁ ପାଇଥିଲା। ଖବରପାଇ ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ରୋଶନ ବିଡିଏର ମେଣ୍ଟେନାନ୍ସ ବିଭାଗରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ। ଗତ କିଛି ଦିନ ହେଲା ସେ ମାନସିକ ଚାପରେ ରହୁଥିଲେ।