ଦୁବାଇ,୨୬ା୯: ଗତ ରବିବାର ଭାରତ ବିପକ୍ଷ ଏସିଆ କପ୍ ସୁପର-୪ ମ୍ୟାଚ୍ ବେଳେ ଉସୁକାଇବା ଭଳି ବ୍ୟବହାର ଲାଗି ପାକିସ୍ତାନର ହାରିସ ରୌଫ ଓ ସାହିବଜାଦା ଫର୍ହାନଙ୍କ ବିରୋଧରେ ଭାରତ ପକ୍ଷରୁ ଆଇସିସି ନିକଟରେ ଆନୁଷ୍ଠାନିକ ଭାବେ ଅଭିଯୋଗ କରାଯାଇଛି।
ଯଦି ସାହିବଜାଦା ଓ ରୌଫ ଅଭିଯୋଗକୁ ଲିଖିତ ଆକାରରେ ଖଣ୍ଡନ କରନ୍ତି, ତେବେ ଏ ସଂକ୍ରାନ୍ତ ଆଇସିସି ଶୁଣାଣି କରିବ। ସେମାନଙ୍କୁ ଆଇସିସି ଏଲିଟ୍ ପ୍ୟାନେଲ ରେଫରି ରିଚି ରିଚାର୍ଡସନଙ୍କ ଆଗରେ ହାଜର ହେବାକୁ ପଡ଼ିବ।
ଅନ୍ୟପକ୍ଷରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ପୀଡ଼ିତଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିବା ସହ ଅପରେଶନ ସିନ୍ଦୂର ପାଇଁ ଭାରତୀୟ ସଶସ୍ତ୍ର ବଳକୁ ବିଜୟ ଉତ୍ସର୍ଗ କରିବା ପାଇଁ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିରୋଧରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ଆଇସିସି ନିକଟରେ ଅଭିଯୋଗ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ୨୧ ତାରିଖରେ ଖେଳାଯାଇଥିବା ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିବା ପରେ ସାହିବଜାଦା ତାଙ୍କ ବ୍ୟାଟ୍କୁ ମେଶିନଗନ ଭଳି ଦେଖାଇ ଉତ୍ସବ ମନାଇଥିଲେ। ସେହିଭଳି ରୌଫ ବୋଲିଂ ବେଳେ ଭାରତୀୟ ଓପନରଙ୍କୁ ଗାଳି ଗୁଲଜ କରିବା ସହ ଫିଲ୍ଡିଂ କଲା ବେଳେ ଭାରତୀୟ ସୈନ୍ୟ ବଳ ପକ୍ଷରୁ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ମଜାକ ଉଡ଼ାଇଥିଲେ।


