ସୋମବାରରୁ ପୁଣି ଖୋଲିବ ଏମ୍ସ ଓପିଡି

ଭୁବନେଶ୍ୱର,୪।୨(ବ୍ୟୁରୋ): ଆସନ୍ତା ୭ ତାରିଖରୁ ପୁଣି ଖୋଲିବ ଏମ୍ସ ଓପିଡି। କରୋନା ସଂକ୍ରମଣ ଯୋଗୁ ଜାନୁଆରୀ ୧୭ ତାରିଖରୁ ଭୁବନେଶ୍ୱର ଏମ୍ସର ଓପିଡି ସେବା ବନ୍ଦ ରହିଥିବା ବେଳେ ସୋମବାରରୁ ଏହା ପୁଣି ଆରମ୍ଭ ହେବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଗୁରୁବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି।

କୋଭିଡ ସଂକ୍ରମଣ ହ୍ରାସ ପାଇଛି। ଏହା ସହିତ ଓପିଡି ଖୋଲିବା ପାଇଁ ବିଭିନ୍ନ ବର୍ଗରୁ ଦାବି ମଧ୍ୟ ହୋଇଆସୁଥିଲା। ଏସବୁ କଥାକୁ ବିଚାରକୁ ନେଇ ଆସନ୍ତା ୭ ତାରିଖରୁ ଓପିଡି ସେବା ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଣୁ ପୂର୍ବଭଳି ସମସ୍ତ ବିଭାଗ ଓପିଡି କାର୍ଯ୍ୟସୂଚୀକୁ ଅନୁକରଣ କରିବେ ବୋଲି ଏମ୍ସ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିଛନ୍ତି। କୋଭିଡ ଲେବର ରୁମ ଆହୁରି ସପ୍ତାହେ ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ଟୁଇଟ୍‌ରେ କୁହାଯାଇଛି।